ନ୍ୟୁଜ ଡେକ୍ସ : ଗୀତ ଗାଉଥିବା ବେଳେ ହଠାତ୍ ଚାଲିଗଲା ଯୁବକଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଖଲ୍ଲିକୋଟ ବାଲୁକେଶ୍ବରପୁର ଗ୍ରାମରେ ଆୟୋଜିତ ମହାଭାରତ ନାଟକ ଅବସରରେ ଘଟିଛି। ମୃତ ଯୁବକ ଜଣକ ପାତ୍ରପୁର ନିକଟ ଏସ ବେଲପଡ଼ା ଗ୍ରାମର ଶାନ୍ତୁନ କୁମାର ସାହୁ ବୋଲି ଜଣାପଡ଼ିଛି।ହୋଲି ଅବସରରେ ବାଲୁକେଶ୍ବରପୁର ଗ୍ରାମରେ ମହାଭାରତ ନାଟକର ଆୟୋଜନ କରାଯାଇଥିଲା।
ନାଟକ ମଞ୍ଚରେ ଶାନ୍ତୁନ ଗୀତ ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ଗୀତ ଗାଉ ଗାଉ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ତାଙ୍କୁ ଖଲ୍ଲିକୋଟ ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ନାଟକ ମଞ୍ଚରେ ଅଫରାତଫରି ସୃଷ୍ଟି ହୋଇଥିଲା ଏବଂ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ସଠିକ୍ କାରଣ ସମ୍ବନ୍ଧରେ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ସ୍ପଷ୍ଟତା ଆସିବ ବୋଲି ସୂଚନା ମିଳିଛି।

