Thu. Mar 5th, 2026

ନ୍ୟୁଜ ଡେକ୍ସ : ହୋର୍ମୁଜ୍ ପ୍ରଣାଳୀ ବନ୍ଦ କରିବା କିମ୍ବା ତୈଳ ଯୋଗାଣକୁ ବାଧାପ୍ରାପ୍ତ କରିବା ନେଇ ଇରାନର ଧମକ ପରେ ଆମେରିକା ସିଧାସଳଖ ହସ୍ତକ୍ଷେପ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ନୌସେନା ଏବେ ହୋର୍ମୁଜ୍ ପ୍ରଣାଳୀରେ ଚଳାଚଳ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷା ଦେବ।

ଏହାର ଅର୍ଥ ହେଉଛି ଆମେରିକୀୟ ଯୁଦ୍ଧଜାହାଜ ଟ୍ୟାଙ୍କରଗୁଡ଼ିକ ସହ ଏସ୍କର୍ଟ କରିବ।ଇରାନ ପକ୍ଷରୁ ତେହେରାନ ଘୋଷଣା କରାଯାଇଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ କେବଳ ଚୀନ୍ ଜାହାଜକୁ ଯିବାକୁ ଅନୁମତି ମିଳିବ। ଏହା ପରେ ହୋର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ ତୈଳ ଓ ଇନ୍ଧନ ପରିବହନକୁ ବାଧାପ୍ରାପ୍ତ ହେବାକୁ ଦିଆଯିବ ନାହିଁ।ଟ୍ରମ୍ପ କହିଛନ୍ତି ଯେ ଉପସାଗରୀୟ ଅଞ୍ଚଳରେ ସାମୁଦ୍ରିକ ବାଣିଜ୍ୟକୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ନିଆଯିବ।

ଏଥିରେ ଜାହାଜମାନଙ୍କୁ ବୀମା ସୁବିଧା ଯୋଗାଇବା ଓ ଆବଶ୍ୟକ ହେଲେ ନୌସେନା ମୁତୟନ କରିବା ଅନ୍ତର୍ଭୁକ୍ତ ରହିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ Truth Socialରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା ପାଇଁ ସେ United States International Development Finance Corporationକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥା ଏବେ ଉପସାଗରରେ ଚଳାଚଳ କରୁଥିବା ଉର୍ଜ୍ଜା ଜାହାଜମାନଙ୍କୁ କମ ମୂଲ୍ୟର ରାଜନୈତିକ ବିପଦ ବୀମା ଓ ଗ୍ୟାରେଣ୍ଟି ପ୍ରଦାନ କରିବ।ଟ୍ରମ୍ପଙ୍କ ଅନୁସାରେ, ଏହି ବ୍ୟବସ୍ଥା ଜାହାଜ ଚଳାଚଳ କମ୍ପାନୀମାନଙ୍କୁ ଆର୍ଥିକ କ୍ଷତିରୁ ସୁରକ୍ଷା ଦେବ। ହୋର୍ମୁଜ୍ ପ୍ରଣାଳୀ ବିଶ୍ୱ ତୈଳ ପରିବହନର ଏକ ମୁଖ୍ୟ ଜଳପଥ ହେତୁ ଏଠାରେ ଉତ୍ପନ୍ନ ଉତ୍ତେଜନା ବିଶ୍ୱ ଅର୍ଥନୀତିରେ ପ୍ରଭାବ ପକାଇପାରେ ବୋଲି ବିଶ୍ଳେଷକମାନେ ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *