ନ୍ୟୁଜ ଡେକ୍ସ : ପୁରୀରେ ଜମି ଦର ଆଗାମୀ ଦିନରେ ଲକ୍ଷଣୀୟ ଭାବେ ବଢ଼ିବାକୁ ଯାଉଛି। ପୁରୀ ମହାନଗର ନିଗମ ଗଠନ ପାଇଁ ଶେଷ ସ୍ପର୍ଶ ନିଆଯାଉଥିବା ବେଳେ ଆଜି ବେଞ୍ଚ ମାର୍କ ଭାଲ୍ୟୁଏସନ କମିଟିର ବୈଠକରେ ସରକାରୀ ଦର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସର୍ବସାଧାରଣଙ୍କ ଠାରୁ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରାଯିବାକୁ ଯୋଜନା ହୋଇଛି।
ସର୍କିଟ୍ ହାଉସରେ ବସିଥିବା ଏହି ବୈଠକରେ ଉପଜିଲ୍ଲାପାଳ, ସବ୍-ରେଜିଷ୍ଟ୍ରାର, ତହସିଲ୍ ଓ ପୌରସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପୁରୀ ମହାନଗର ନିଗମରେ ସୀମାନ୍ତ ୯ଟି ପଞ୍ଚାୟତର ୩୪ଟି ରାଜସ୍ୱ ଗ୍ରାମକୁ ସାମିଲ୍ କରାଯାଇଛି। ପୌରସଂସ୍ଥାର ପୂର୍ବତନ ୩୧ଟି ୱାର୍ଡ ସହ ଏହି ୩୪ଟି ଗ୍ରାମକୁ ନେଇ ମୋଟ ୩୯ଟି ୱାର୍ଡ ଗଠନ କରାଯାଇଛି।ନୂଆ କରି ନିଗମରେ ସାମିଲ୍ ହୋଇଥିବା ଅଞ୍ଚଳଗୁଡିକରେ ଜମି କିଣାବିକା ଦ୍ରୁତ ଗତିରେ ବଢ଼ିଛି। ଅନେକ ବ୍ୟବସାୟୀ ଅଧିକ ଦର ଦେଇ ଜମି କିଣୁଥିବା ଦେଖାଯାଉଛି। ଯେଉଁଠାରେ ଏକର ପିଛା ୧୦ ଲକ୍ଷ ଟଙ୍କା ଥିଲା, ସେଠାରେ ବର୍ତ୍ତମାନ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଦେଇ ଜମି କ୍ରୟ ହେଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ବେଞ୍ଚ ମାର୍କ ଦର ପୁନଃ ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଆସିଛି।
ଗୋପୀନାଥପୁର ପଞ୍ଚାୟତରେ ଏକର ପିଛା ୧୨ ଲକ୍ଷ ଟଙ୍କା ଥିବା ଦର ୩ ଗୁଣ ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି। ଏହି ଅଞ୍ଚଳରେ ବେଞ୍ଚ ମାର୍କ ଭାଲ୍ୟୁଏସନର ୩ ଗୁଣରୁ ଅଧିକ ଦରରେ ଜମି ପଞ୍ଜୀକରଣ ହୋଇଥିବା ରେକର୍ଡ ମିଳିଛି। ମୋହିନୀପୁରରେ ବର୍ତ୍ତମାନ ଏକର ପିଛା ୨ କୋଟି ୫୦ ଲକ୍ଷ ଟଙ୍କା ଦର ରହିଛି। ମେଡିକାଲ୍ କଲେଜ୍ ସ୍ଥାପନ ଓ ନିଗମରେ ସାମିଲ୍ ହେବା ପରେ ଏଠାରେ ଗତ ଏକ ବର୍ଷ ଧରି ଏହାର ତିନି ଗୁଣରୁ ଅଧିକ ଦରରେ ଜମି ବିକ୍ରି ହେଉଛି।
ସେହିପରି ଆଳିକିଆରେ ଏକର ପିଛା ୩ କୋଟି ୯୦ ଲକ୍ଷ ଟଙ୍କା ଦର ରହିଥିବା ବେଳେ ଅଠରନଳାରେ ଏହା ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସମଙ୍ଗରେ ଏକର ପିଛା ୪ କୋଟି ୫୦ ଲକ୍ଷ ଟଙ୍କା ଦର ରହିଛି। ଏଭଳି ଭାବେ ନିଗମରେ ସାମିଲ୍ ହୋଇଥିବା ୩୪ଟି ରାଜସ୍ୱ ଗ୍ରାମରେ ଜମି ଦର ବଢ଼ିବା ନିଶ୍ଚିତ ହୋଇଛି।

