ନ୍ୟୁଜ ଡେକ୍ସ : ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଉଦ୍ଘାଟନ କରି ଓଡ଼ିଶାରେ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି।ଅଂଶୀଦାରମାନଙ୍କୁ ସଚେତନ କରିବା ସହିତ ‘ଓଡ଼ିଶା ହୋମଷ୍ଟେ ସ୍କିମ୍–୨୦୨୫’ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ‘ଓଡ଼ିଶା ହୋମଷ୍ଟେ କର୍ମଶାଳା’ ଅବସରରେ ଏହି ପୋର୍ଟାଲ ଶୁଭାରମ୍ଭ କରାଯାଇଥିଲା।
ସମାବେଶକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ହୋମଷ୍ଟେ କେବଳ ରହିବାର ସୁବିଧା ନୁହେଁ; ଏହା ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଆତିଥ୍ୟର ଏକ ଦ୍ୱାର।ସେ ଆହୁରି କହିଥିଲେ ଯେ ‘ଗୋ-ହୋମଷ୍ଟେ’ ପୋର୍ଟାଲ ଆଶାୟୀ ହୋମଷ୍ଟେ ମାଲିକମାନଙ୍କ ପାଇଁ ସ୍ୱଚ୍ଛତା, ସୁଗମତା ଓ ବ୍ୟବସାୟିକ ସହଜତା ନିଶ୍ଚିତ କରିବ। ଏହା ତୃଣମୂଳ ସ୍ତରରେ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ସହ ଗ୍ରାମାଞ୍ଚଳର ପରିବାର, ମହିଳା ଓ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବ। ପର୍ଯ୍ୟଟନ ଆଧାରିତ ବିକାଶ ମାଧ୍ୟମରେ ଅନ୍ତର୍ଭୁକ୍ତ ଉନ୍ନତି ନେଇ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସହ ଏହି ପଦକ୍ଷେପ ସମନ୍ୱୟ ରଖିଛି ବୋଲି ସେ ମତ ପ୍ରକାଶ କରିଥିଲେ। କର୍ମଶାଳାରେ ଯୋଜନାର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଉପରେ ବିସ୍ତୃତ ଉପସ୍ଥାପନା ହୋଇଥିବାବେଳେ ବୈଷୟିକ ଦଳ ଦ୍ୱାରା ପୋର୍ଟାଲର ପରିଚାଳନା ପ୍ରଦର୍ଶନ କରାଯାଇଥିଲା।
‘ହୋମଷ୍ଟେଜ୍ ଅଫ୍ ଇଣ୍ଡିଆ’ ଓ ‘ସ୍ୱନିର ୱାଇଲ୍ଡରନେସ୍ ହୋମଷ୍ଟେ’ର ପ୍ରତିନିଧିମାନଙ୍କ ଦ୍ୱାରା ବିଶେଷଜ୍ଞ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହାସହିତ ଅଭିଜ୍ଞ ହୋମଷ୍ଟେ ମାଲିକମାନଙ୍କ ସହ ପ୍ୟାନେଲ୍ ଆଲୋଚନା ଆୟୋଜିତ ହୋଇଥିଲା, ଯେଉଁଠାରେ ସେମାନେ ନିଜ ସଫଳତାର କାହାଣୀ ଓ ଶ୍ରେଷ୍ଠ କାର୍ଯ୍ୟପ୍ରଣାଳୀ ବିଷୟରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଓଏଲଏମର ନିର୍ଦ୍ଦେଶିକା-ତଥା-ସିଇଓ ମୋନିକା ପ୍ରିୟଦର୍ଶିନୀ ସହ ବରିଷ୍ଠ ଅଧିକାରୀ, ଆର୍ଥିକ ସଂସ୍ଥାର ପ୍ରତିନିଧି ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହୋମଷ୍ଟେ ମାଲିକମାନେ ଉପସ୍ଥିତ ଥିଲେ।

