ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ଓ ବ୍ରିଟେନ ମଧ୍ୟରେ ମତଭେଦ ପ୍ରକାଶ ପାଇଛି। ବ୍ରିଟେନ ଯୁଦ୍ଧରେ ବିଳମ୍ବରେ ସହଯୋଗ କରିବାକୁ ଆଗକୁ ଆସିଥିବାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ପ୍ରାୟ ଜିତି ସାରିବା ପରେ ଏପରି ସହଯୋଗର କୌଣସି ଆବଶ୍ୟକତା ନାହିଁ।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ବ୍ରିଟେନ ଏବେ ଦୁଇଟି ବିମାନ ବାହକ ପଠାଇବାକୁ ଗମ୍ଭୀରତାର ସହ ବିଚାର କରୁଛି। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ଆମେରିକା ସେହି ଦେଶମାନଙ୍କଠାରୁ ସହାୟତା ଚାହେଁ ନାହିଁ, ଯେଉଁମାନେ ଯୁଦ୍ଧ ପ୍ରାୟ ସମାପ୍ତ ହେବା ପରେ ଏଥିରେ ଯୋଗ ଦେବାକୁ ଚେଷ୍ଟା କରନ୍ତି।ବ୍ରିଟେନକୁ ଆମେରିକାର ଏକଦା ମହାନ ସହଯୋଗୀ ଭାବେ ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ଏପରି ବିଳମ୍ବିତ ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବିଶ୍ୱାସକୁ ପ୍ରଭାବିତ କରିପାରେ। ଏହା ସହିତ ରୁଷ୍ ଇରାନକୁ ସହଯୋଗ କରୁଥିବା ବିଷୟରେ ମଧ୍ୟ ଟ୍ରମ୍ପ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରୁଷ୍ ଇରାନକୁ ସାହାଯ୍ୟ କରୁଥିବା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନି। ଯଦି ରୁଷ୍ ସେପରି କିଛି କରୁଛି, ତେବେ ସେହି କାମ ଠିକ୍ ନୁହେଁ ବୋଲି ସେ କହିଛନ୍ତି।ପ୍ରକୃତରେ ଯୁଦ୍ଧ ଆରମ୍ଭ ସମୟରେ ବ୍ରିଟେନ ଓ ଆମେରିକା ମଧ୍ୟରେ ଏହି ପ୍ରସଙ୍ଗରେ ମତଭେଦ ଦେଖାଯାଇଥିଲା।
ଯେତେବେଳେ ଆମେରିକା ଓ ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରାରମ୍ଭିକ ସାମରିକ କାର୍ଯ୍ୟାନୁଷ୍ଠାନର ଯୋଜନା କରିଥିଲେ, ସେତେବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ତାଙ୍କ ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେବାରୁ ମନା କରିଦେଇଥିଲେ।ଷ୍ଟାରମର କହିଥିଲେ ଯେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ହେବା ଉଚିତ ଏବଂ ଏହାର ଯୋଜନା ସମ୍ପୂର୍ଣ୍ଣ ସ୍ପଷ୍ଟ ହେବା ଦରକାର। ବ୍ରିଟେନର ଏହି ନିଷ୍ପତ୍ତିକୁ ସେତେବେଳେ ଆମେରିକା ପାଇଁ ଏକ ଆଘାତ ଭାବେ ଦେଖାଯାଇଥିଲା, କାରଣ ଆମେରିକୀୟ ସେନା ପୂର୍ବରୁ ବହୁଥର ବ୍ରିଟିଶ ସାମରିକ ଘାଟିକୁ ତାଙ୍କର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରିଆସିଛି।

