ନ୍ୟୁଜ ଡେକ୍ସ : ଦେଶର ଗ୍ରାମୀଣ ଅଞ୍ଚଳକୁ ପାଇପ୍ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଚାଲୁଥିବା ଜଳ ଜୀବନ ମିସନର ଅବଧିକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଏନେଇ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଜଳ ଜୀବନ ମିସନର ମୋଟ ଅଟକଳ ବ୍ୟୟକୁ ବଢ଼ାଇ ୮.୭ ଲକ୍ଷ କୋଟି ଟଙ୍କା କରାଯାଇଛି।
ଆଗାମୀ ତିନି ମାସ ମଧ୍ୟରେ ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରମାନଙ୍କ ସହ ସ୍ବତନ୍ତ୍ର ବୁଝାମଣାପତ୍ର ସ୍ବାକ୍ଷର କରାଯିବ ବୋଲି ସେ କହିଛନ୍ତି।ଏହି ମିସନର କାର୍ଯ୍ୟନ୍ୱୟନକୁ ଆହୁରି ସୁଦୃଢ କରିବା ପାଇଁ ‘ସୁଜଳମ ଭାରତ’ ନାମରେ ଏକ ଜାତୀୟ ଡିଜିଟାଲ୍ ଫ୍ରେମ୍ୱର୍କ ମଧ୍ୟ ଗଠନ କରାଯାଇଛି। ଏହା ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ନିରୀକ୍ଷଣ ଓ ପରିଚାଳନାକୁ ଆହୁରି ସୁବିଧାଜନକ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଜଳ ଜୀବନ ମିସନକୁ ପ୍ରଥମେ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ମଞ୍ଜୁର କରାଯାଇଥିଲା। ଏହି ସମୟସୀମା ମଧ୍ୟରେ ଦେଶର ପ୍ରାୟ ୧୨.୬ କୋଟି ଗ୍ରାମୀଣ ପରିବାରକୁ ପାଇପ୍ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି।
ଏହା ସହିତ ଆଜିର କ୍ୟାବିନେଟ୍ ବୈଠକରେ ମଦୁରାଇ ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଘୋଷଣା କରିବା, ଜେୱାର ବିମାନବନ୍ଦର ପାଇଁ ଏଲିଭେଟେଡ୍ ସଡ଼କପଥ ନିର୍ମାଣ ଓ କିଛି ରେଳପଥ ଏବଂ ସଡ଼କପଥ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ଦିଆଯାଇଛି। ଆଜିର ବୈଠକରେ ମୋଟ ୮.୮ ଲକ୍ଷ କୋଟି ଟଙ୍କାର ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛି।

