ନ୍ୟୁଜ ଡେକ୍ସ : ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କୃତିକା କାମରା ଓ କ୍ରୀଡ଼ା ଉପସ୍ଥାପକ ଗୌରବ କପୁର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତ ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା ।ବିବାହ ପରେ ମାର୍ଚ୍ଚ ୧୨ ତାରିଖରେ ନବଦମ୍ପତି ନିଜର ବନ୍ଧୁ ଓ ସମ୍ପର୍କୀୟଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନର ଆୟୋଜନ କରିଥିଲେ ।
ଏହି ପ୍ରୀତିଭୋଜନ କାର୍ଯ୍ୟକ୍ରମରେ ବଲିଉଡ ଓ କ୍ରିକେଟ ଜଗତର ଅନେକ ନାମୀଦାମୀ ତାରକା ଯୋଗ ଦେଇଥିବା ଦେଖିବାକୁ ମିଳିଛି ।ରିସେପ୍ସନ ପାର୍ଟିରେ କ୍ରିକେଟ ଜଗତର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଯୁବରାଜ ସିଂହ ଓ ବିରେନ୍ଦ୍ର ସେହୱାଗ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମନୋରଞ୍ଜନ ଜଗତରୁ ମଲାଇକା ଆରୋରା, ନେହା ଧୂପିଆ, ଅଙ୍ଗଦ ବେଦୀ, ବିଦ୍ୟା ବାଲାନ, ସିଦ୍ଧାର୍ଥ ରୟ କପୁର, ଫରହାନ ଅଖତର ଓ ଭେଟେରାନ ଅଭିନେତା ନସିରୁଦ୍ଦିନ ଶାହା ଏବଂ ରତ୍ନା ପାଠକ ଶାହା ମଧ୍ୟ ସାମିଲ ହୋଇଥିଲେ । ନବଦମ୍ପତିଙ୍କ ସହ ତାରକାମାନେ ଖୁବ୍ ମଜାମସ୍ତି କରିବା ସହ ଡ୍ୟାନ୍ସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରିସେପ୍ସନ ପାର୍ଟିରେ କୃତିକା ଧଳା ରଙ୍ଗର ବଡି-ହଗିଙ୍ଗ୍ ଗାଉନ୍ ପିନ୍ଧିଥିବା ବେଳେ ହୀରାର ନେକଲେସ୍ ତାଙ୍କୁ ଏକ ଆକର୍ଷଣୀୟ ଲୁକ୍ ଦେଇଥିଲା । ଅନ୍ୟପଟେ ଗୌରବ ବ୍ଲୁ ଫର୍ମାଲ ସୁଟ୍ ସହ ବ୍ଲାକ୍ ଟାଇ ପିନ୍ଧି ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ । କ୍ୟାମେରା ସାମ୍ନାରେ ଉଭୟ ପରସ୍ପରଙ୍କ ହାତ ଧରି ଖୁସିରେ ନଜର ଆସିଥିଲେ ।ସୂଚନାଯୋଗ୍ୟ ଯେ, ବିବାହ ସମୟରେ କୃତିକା ତାଙ୍କ ମାଆଙ୍କ ଦ୍ୱାରା ଉପହାର ମିଳିଥିବା ନାଲି ରଙ୍ଗର ଚନ୍ଦେରୀ ଶାଢ଼ି ପିନ୍ଧିଥିବା ବେଳେ ଗୌରବ ବେଜ୍ ରଙ୍ଗର ଶେରୱାନୀ ପିନ୍ଧିଥିଲେ । ଉଭୟଙ୍କର ବିବାହ ଓ ରିସେପ୍ସନ ଉତ୍ସବ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

