Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡ଼ି-କଂଗ୍ରେସ କମନ ପ୍ରାର୍ଥୀ ପ୍ରସଙ୍ଗରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ କଟୁ ପ୍ରତିକ୍ରିୟା ଦେଇଛନ୍ତି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ଆଲୋଚନା ହୋଇନଥିବା ସେ ଅଭିଯୋଗ କରିଛନ୍ତି। ସମସ୍ତେ ନିଜ ନିଜ ବ୍ୟକ୍ତିଗତ ହିସାବରେ ଭୋଟ୍ ଦେବେ ବୋଲି ସୋଫିଆ କହିଛନ୍ତି।

ସେ ପରୋକ୍ଷରେ କହିଛନ୍ତି ଯେ ଦଳ ମଧ୍ୟରେ ତାଙ୍କୁ ଅଣାଦେଖା କରାଯାଉଛି। ବିଗତ ଏକ ବର୍ଷ ଧରି ତାଙ୍କୁ ଦଳୀୟ କାର୍ଯ୍ୟକଳାପରୁ ଦୂରେଇ ରଖାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ତାଙ୍କ ସହ କୌଣସି ପ୍ରକାର ଆଲୋଚନା କରାଯାଇନଥିଲା। ସେହିପରି ନୂଆପଡ଼ା ଉପନିର୍ବାଚନ ସମୟରେ ମଧ୍ୟ ତାଙ୍କୁ ସାମିଲ କରାଯାଇନଥିବା ସେ କହିଛନ୍ତି।ସୋଫିଆ ଆହୁରି କହିଛନ୍ତି ଯେ କଟକରେ କେଉଁମାନେ କଂଗ୍ରେସରେ ଯୋଗ ଦେଉଛନ୍ତି ତାହା ସମ୍ପର୍କରେ ମଧ୍ୟ ସେ ଅବଗତ ନୁହନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ମେଣ୍ଟକୁ ସେ ନାପସନ୍ଦ କରିଥିବା ସ୍ପଷ୍ଟ କରିଛନ୍ତି। ପ୍ରାର୍ଥୀ ଚୟନ ପୂର୍ବରୁ ସମସ୍ତ ବିଧାୟକଙ୍କ ସହ ଆଲୋଚନା ହେବା ଉଚିତ୍ ଥିଲା ବୋଲି ସେ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏହି ସ୍ଥିତିକୁ ଆସିବାର ପ୍ରମୁଖ କାରଣ ବିଜୁ ଜନତା ଦଳ।

ତାଙ୍କ କଥାନୁସାରେ ବିଜେଡ଼ି ଓ ବିଜେପି ସବୁବେଳେ ମିଶିକି କାମ କରୁଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଇଆସୁଛନ୍ତି। ଲୋକସଭା ଓ ରାଜ୍ୟସଭାରେ ବିଜେପିକୁ ସମର୍ଥନ ସହିତ ୱାକଫ୍ ବିଲକୁ ମଧ୍ୟ ବିଜେଡ଼ି ସମର୍ଥନ କରିଥିବା ସେ କହିଛନ୍ତି।ସୋଫିଆ କହିଛନ୍ତି ଯଦି ଉଭୟ ଦଳର ମୁଖିଆ ମିଶି ସ୍ୱାଧୀନ ପ୍ରାର୍ଥୀ ଦେଇଥାନ୍ତେ ତେବେ ଦଳର ମର୍ଯ୍ୟାଦା ରହିଥାନ୍ତା। ତାଙ୍କ ଅଭିଯୋଗ ଅନୁଯାୟୀ ବିଜେଡ଼ିର ମୁଖ୍ୟ ଷଡ଼ଯନ୍ତ୍ର ହେଉଛି କଂଗ୍ରେସକୁ ତଳକୁ ନେବା। ଏହି ନିଷ୍ପତ୍ତି ନେଇ କିଛି ବିଧାୟକ ମଧ୍ୟ ଆଘାତ ପାଇଥିବା ସେ କହିଛନ୍ତି। ତଥାପି ରାଜ୍ୟସଭା ନିର୍ବାଚନରେ ସେ ନିଜ ବ୍ୟକ୍ତିଗତ ମତାମତ ଅନୁସାରେ ଭୋଟ୍ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଭୋଟ୍ ଦେବା ତାଙ୍କର ଅଧିକାର ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *