ନ୍ୟୁଜ ଡେକ୍ସ : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଥିବାରୁ ଗତ ତିନି ଦିନ ଧରି ତାପମାତ୍ରାରେ ସାମାନ୍ୟ କମିତି ଦେଖାଯାଇଛି। ବହୁ ସ୍ଥାନରେ ପାଗ ମେଘୁଆ ରହୁଥିବା ସହ କିଛି ଅଞ୍ଚଳରେ ହାଲୁକା ବର୍ଷା ମଧ୍ୟ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ।ଅନ୍ୟପଟେ ଝଡ଼ବର୍ଷା ସମ୍ଭାବନାକୁ ନେଇ ରାଜ୍ୟର କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।
ମୟୂରଭଞ୍ଜ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଅଞ୍ଚଳରେ ବିଜୁଳି ଓ ଘଡଘଡି ସହ ଝଡ଼ବର୍ଷା ହେବା ସହ ପବନର ବେଗ ଘଣ୍ଟାପିଛା ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପୂର୍ବାନୁମାନ ରହିଛି। ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସତର୍କ ରହିବା ଓ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବୁଧବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।
ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଝଡ଼ବର୍ଷା ହୋଇପାରେ। ସେହିପରି ୧୯ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି।୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସ୍ଥାନଗୁଡ଼ିକରେ କୁଆପଥର ସହ ବର୍ଷା ଓ ଘଣ୍ଟାପିଛା ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବା ସମ୍ଭାବନା ରହିଛି।
୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଝଡ଼ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ୨୯ ମିଲିମିଟର ବର୍ଷା ହୋଇଥିବା ବେଳେ ନୂଆପଡ଼ାରେ ୨୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସୋନପୁରରେ ସର୍ବାଧିକ ଦିନ ତାପମାତ୍ରା ୩୬.୬ ଡିଗ୍ରୀ ଥିବା ବେଳେ ବଲାଙ୍ଗୀରରେ ୩୬.୩ ଓ ସମ୍ବଲପୁରରେ ୩୬.୧ ଡିଗ୍ରୀ ରେକର୍ଡ ହୋଇଛି। ଭବାନୀପାଟଣା ଓ ଟିଟିଲାଗଡ଼ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି।

