Thu. Apr 16th, 2026

ନ୍ୟୁଜ ଡେକ୍ସ : ଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ୫୦ତମ ଜାତୀୟ ସମାରୋହ ସୋମବାର ରାତିରେ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଧୁମଧାମରେ ସମାପ୍ତ ହୋଇଛି। ୨୩ ବର୍ଷ ପରେ ଦିଲ୍ଲୀ କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସ୍‌ଜେଏ) ଏହାକୁ ଆୟୋଜନ କରିଥିବା ବେଳେ ଘରୋଇ ଉତ୍ତରାଞ୍ଚଳ ଦଳ ଜେକେ ବୋଷ ଟ୍ରଫି ଅନ୍ତଃଜୋନ କ୍ରିକେଟ୍‌ ପ୍ରତିଯୋଗିତା ଜିତି ଏହାକୁ ଅଧିକ ସ୍ମରଣୀୟ କରିଛି।

ଲିଗ୍‌ ଭିତ୍ତିକ ଏହି ପ୍ରତିଯୋଗିତାରେ ଉତ୍ତରାଞ୍ଚଳ ତିନୋଟି ମ୍ୟାଚ୍‌ରେ ବିଜୟ ହାସଲ କରି ଅପରାଜିତ ରହି ଶୀର୍ଷସ୍ଥାନରେ ଅଭିଯାନ ଶେଷ କରିଥିଲା। ଦୁଇଟି ବିଜୟ ସହ ପଶ୍ଚିମାଞ୍ଚଳ ଉପବିଜେତା ହୋଇଥିଲା। ଅନ୍ୟପଟେ ଏସି ବାଲି ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ମୁମ୍ବାଇ କ୍ରୀଡ଼ା ସାମ୍ବାଦିକ ସଂଘ ହ୍ୟାଟ୍ରିକ୍‌ ସଫଳତା ହାସଲ କରିଛି। ଅମୋଲ କାରାହଦକର ଓ ଅଶ୍ବିନ ଫେରୋଙ୍କ ଦଳ ଦଳଗତ ଓ ଯୁଗଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅମୋଲ ବ୍ୟକ୍ତିଗତ ଭାବେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।ବାସ୍କେଟ୍‌ବଲ୍‌ ଥ୍ରୋ ଓ ଫୁଟ୍‌ସାଲ୍‌ ଫ୍ରି କିକ୍‌ରେ ମଧ୍ୟ ମୁମ୍ବାଇ ଦଳ ବିଜୟୀ ହୋଇ ସମ୍ପୂର୍ଣ୍ଣ ପ୍ରାଭୁତ୍ୱ ଦେଖାଇଥିଲା। ପ୍ରତି ସନ୍ଧ୍ୟାରେ ଆୟୋଜିତ କ୍ରୀଡ଼ା ସମାରୋହରେ ‘ଦିଲ୍ଲୀ ରକ୍ସ’ ଉନ୍ମୋଚିତ ହୋଇ ପାରମ୍ପରିକ ଆୟୋଜନକୁ ଆକର୍ଷଣୀୟ କରିଥିଲା।

ଉଦ୍‌ଯାପନୀ ଉତ୍ସବରେ ଡିଡିସିଏ ସଭାପତି ରୋହନ ଜେଟଲୀ ବିଜେତା ଉତ୍ତରାଞ୍ଚଳ ଦଳ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ବିଶ୍ୱକପ୍‌ ବିଜୟିନୀ ମହିଳା କ୍ରିକେଟର୍‌ ପ୍ରତୀକା ରାୱଲଙ୍କୁ ୫୧ ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡିଶା କ୍ରୀଡ଼ା ସାମ୍ବାଦିକ ସଂଘକୁ ମଧ୍ୟ ବିଶେଷ ସମ୍ମାନ ଦିଆଯାଇଥିଲା।ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇଥିବା ଏହି ଚାରିଦିନିଆ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ, ପୂର୍ବତନ କ୍ରୀଡ଼ାମନ୍ତ୍ରୀ, ଆଇସିସି ଓ ବିସିସିଆଇର ଉଚ୍ଚପଦସ୍ଥ କର୍ମକର୍ତ୍ତା ସହ ବିଭିନ୍ନ କ୍ରୀଡ଼ାବିଦ୍‌ ଓ ପ୍ରଶାସକ ଯୋଗଦେଇଥିଲେ। ସେମାନେ ଖେଳାଳି, ପ୍ରଶାସକ ଓ ସାମ୍ବାଦିକଙ୍କ ମଧ୍ୟର ସମ୍ପର୍କ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।ସଫଳ ଆୟୋଜନ ପାଇଁ ଡିଏସ୍‌ଜେଏ ଓ ଏସ୍‌ଜେଏଫ୍‌ଆଇର କର୍ମକର୍ତ୍ତାମାନେ ପ୍ରଶଂସାର ପାତ୍ର ହୋଇଛନ୍ତି।

Leave a Reply

Your email address will not be published. Required fields are marked *