Sat. Apr 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଓଡ଼ିଶାରେ ରାଜନୀତିକ ପରିସ୍ଥିତି ତୀବ୍ର ହୋଇଯାଇଛି। କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କ ପକ୍ଷରେ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ଦୁଇ କଂଗ୍ରେସ ବିଧାୟକଙ୍କ ବିରୋଧରେ କଡ଼ା ପଦକ୍ଷେପ ଦାବି କରାଯାଇଛି।

ଏହି ଘଟଣାକୁ ଦଳୀୟ ଶୃଙ୍ଖଳାର ଘୋର ଉଲଂଘନ ବୋଲି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ଦଳରେ ବିଧାୟକ ଦଳ ଉପନେତା ଅଶୋକ ଦାସ, ଚିଫ୍ ହ୍ୱିପ୍ ଏସ ରାଜନ ଏକ୍କା, ବିଧାୟକ ସାଗର ଦାସ, ପବିତ୍ର ସାଉଁତା ଓ ମଙ୍ଗୁ ଖିଲ ସମ୍ମିଳିତ ଥିଲେ। ସେମାନେ ସାମ୍ବିଧାନିକ ନିୟମ ଅନୁଯାୟୀ ସୋଫିଆ ଫିର୍ଦ୍ଦୋସ ଓ ଦାଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ କରିବାକୁ ଆବେଦନ ଦେଇଛନ୍ତି।ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳୀୟ ହ୍ୱିପ୍ ଉଲଂଘନ କରିବା ଏବଂ ଦଳ ବିରୋଧୀ କାର୍ଯ୍ୟ କରିବା ଗୁରୁତର ଅପରାଧ। ତେଣୁ ଏହି ଦୁଇ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି।

ଏହା ପୂର୍ବରୁ ମଧ୍ୟ କ୍ରସ୍‌ ଭୋଟିଂ ଅଭିଯୋଗରେ କଂଗ୍ରେସ ତିନିଜଣ ବିଧାୟକ—ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସଙ୍କୁ ଦଳରୁ ନିଲମ୍ବନ କରିଛି। ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ ପାଢ଼ୀ ଏନେଇ ସୂଚନା ଦେଇଥିଲେ। ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ଭୋଟ ଦେଇ ହ୍ୱିପ୍ ଉଲଂଘନ କରିଥିବାରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି।ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡି, କଂଗ୍ରେସ ଓ ବାମଦଳ ମିଶି ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସାଧାରଣ ପ୍ରାର୍ଥୀ କରିଥିଲେ ଏବଂ ସମସ୍ତ କଂଗ୍ରେସ ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇଥିଲା।

କିନ୍ତୁ ଏହାକୁ ଅମାନ୍ୟ କରି କ୍ରସ୍‌ ଭୋଟିଂ କରାଯାଇଥିବାରୁ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଛି।ଦାଶରଥୀ ଗମାଙ୍ଗ ଗଜପତି ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିବାବେଳେ ସୋଫିଆ ଫିର୍ଦ୍ଦୋସ କଟକ ବାରବାଟୀର ପ୍ରଥମ ମହିଳା ବିଧାୟିକା ଭାବେ ପରିଚିତ। ଏହି ଘଟଣା ପରେ ରାଜ୍ୟରେ ରାଜନୀତିକ ଚର୍ଚ୍ଚା ତୀବ୍ର ହୋଇଛି ଏବଂ ବାଚସ୍ପତିଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *