ନ୍ୟୁଜ ଡେକ୍ସ : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ସମ୍ମାନଜନକ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆ ଓ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଚାମ୍ପିୟନସିପ୍ ଆସନ୍ତା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି।
ଏହି ମହାକୁମ୍ଭରେ ଦେଶର ୨୮ଟି ରାଜ୍ୟ ସହ ବିଏସଏଫ୍ ଓ ଏସଏସସିବିରୁ ମିଶି ପ୍ରାୟ ୧୪୬୦ ଜଣ ପାରା ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି। ଆୟୋଜକ ଓଡ଼ିଶାରୁ ୪୦ ଜଣ କ୍ରୀଡ଼ାବିତ୍ ଏଥିରେ ସାମିଲ ଅଛନ୍ତି। ମୋଟ ୧୪୫ଟି ପଦକ ଇଭେଣ୍ଟରେ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ପ୍ରତିଯୋଗିତା ଚାଲିଛି।ଉଦ୍ଘାଟନୀ ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଓଡ଼ିଶାର ପ୍ରତିଟି ବ୍ଲକରେ ତିଆରି ହେଉଥିବା କ୍ରୀଡ଼ା ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ଅନୁକୂଳ କରାଯିବ। ସେ କହିଥିଲେ ଯେ, ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପୂରଣରେ ଦିବ୍ୟାଙ୍ଗ ଖେଳାଳିମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ।
ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଥିଲେ ଯେ, ଦିବ୍ୟାଙ୍ଗ ଖେଳାଳିମାନେ ଦେଶର ଗର୍ବ ଏବଂ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ସବୁଙ୍କ ପାଇଁ ପ୍ରେରଣା। ଜଗନ୍ନାଥ ଧାମର ଆତିଥେୟତା ସମଗ୍ର ଦେଶ ପାଇଁ ଉଦାହରଣ ହେବ ବୋଲି ସେ କହିଥିଲେ।ପଦ୍ମଶ୍ରୀ ଓ ଖେଳରତ୍ନ ବିଜେତା ଦେବେନ୍ଦ୍ର ଝାଝରିଆ କହିଥିଲେ ଯେ, ପ୍ୟାରିସ୍ ପାରାଲିମ୍ପିକ୍ସ ପରେ ଏହି ଚାମ୍ପିୟନସିପ୍ ପାରା କ୍ରୀଡ଼ା କ୍ଷେତ୍ରରେ ନୂତନ ଦିଗ ଖୋଲିବ। ଏହି ବୃହତ୍ତମ ଆୟୋଜନ ଦେଶର ପାରା ଆଥଲେଟମାନଙ୍କୁ ନୂତନ ଉତ୍ସାହ ଦେବ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି ଅବସରରେ କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା, ବିଜୟ କୁମାର ସ୍ୱାଇଁ ଓ ପାରାଲିମ୍ପିଆନ୍ ମାର୍କଣ୍ଡ ରେଡ୍ଡୀ ସହ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

