Sun. Apr 19th, 2026

ନ୍ୟୁଜ ଡେକ୍ସ : ଗଞ୍ଜାମ ଜିଲ୍ଲାର ବଡଗୋଛା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ହରିଜନ ସାହିରେ ହୁହୁକାର ସୃଷ୍ଟି କରିଛି। ହଠାତ୍ ଲାଗିଥିବା ନିଆଁରେ ପ୍ରାୟ ୨୦ ବଖରା ଘର ଜଳି ଛାଇ ହୋଇଯାଇଛି। ଘରସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ସର୍ଟ ସର୍କିଟ ହୋଇଥିବା ସନ୍ଦେହ କରାଯାଉଛି।

ସ୍ଥାନୀୟ ଲୋକେ ପ୍ରଥମେ ନିଆଁ ନିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ସେହିପରି କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ୱାୟ ଉବରାଇ ଗ୍ରାମରେ ମଧ୍ୟ ଅନ୍ୟ ଗୋଟିଏ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଗଗନ ବିହାରୀ ପାତ୍ରଙ୍କ ଚାଳଘରେ ନିଆଁ ଲାଗିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ସେହି ଗ୍ରାମର ରାଘବ ପାତ୍ରଙ୍କ ପୁଅ ରାଜୁ ପାତ୍ରଙ୍କ ଉପରେ ଅଭିଯୋଗ ଆସିଛି ଯେ, ପୂର୍ବ ଶତ୍ରୁତାକୁ ନେଇ ସେ ନିଆଁ ଲଗାଇଥିଲେ।ଏହି ଅଗ୍ନିକାଣ୍ଡରେ ଘରେ ରଖାଯାଇଥିବା ଧାନ, ଚାଉଳ ସହିତ ବାହାରେ ଥିବା ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ ସମ୍ପୂର୍ଣ୍ଣ ଜଳିଯାଇଛି। ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ସନ୍ଦେହଭାଜନ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Leave a Reply

Your email address will not be published. Required fields are marked *