Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବା ସହ ଆସନ୍ତା କିଛିଦିନ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ। ପରବର୍ତ୍ତୀ ୪ ଦିନରେ ପୁଣି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା ରହିଛି।

ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ, ମାର୍ଚ୍ଚ ୨୭ରୁ ଏପ୍ରିଲ ୨ ପର୍ଯ୍ୟନ୍ତ କାଳବୈଶାଖୀଜନିତ ବର୍ଷାର ପ୍ରଭାବ ଅଧିକ ରହିପାରେ। ଏହାର ପରିଣାମରେ ମାର୍ଚ୍ଚ ଶେଷ ସପ୍ତାହ ଓ ଏପ୍ରିଲ ଆରମ୍ଭ ସମୟରେ ଗ୍ରୀଷ୍ମ ପ୍ରକୋପ କମ୍ ରହିବାର ସମ୍ଭାବନା ରହିଛି।ଶୁକ୍ରବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ସୁନ୍ଦରଗଡ଼, ବାରିପଦା, ଦାରିଙ୍ଗିବାଡ଼ି ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବା ଖବର ମିଳିଛି। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି, ଯେତେବେଳେ ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ।

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ଝଡ଼ବର୍ଷା ସହ କୁଆପଥର ପଡ଼ିବା ସମ୍ଭାବନା ଥିବାବେଳେ, ପବନର ବେଗ ୫୦ରୁ ୬୦ କିମି ପର୍ଯ୍ୟନ୍ତ ରହିପାରେ। କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୩୦ରୁ ୪୦ କିମି ବେଗରେ ପବନ ସହ ବର୍ଷା ଓ ଘଡ଼ଘଡ଼ି ହେବାକୁ ନେଇ ସତର୍କ କରାଯାଇଛି।ଏହିପରି କାଳବୈଶାଖୀ ପ୍ରଭାବ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜାରି ରହିବା ସହ, ପରବର୍ତ୍ତୀ ଦିନଗୁଡ଼ିକରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *