ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାକୁ ନେଇ ବିଜୁ ଜନତା ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୬ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏହି ନିଷ୍ପତ୍ତି ବିଜୁ ଜନତା ଦଳର ପିଏସି ବୈଠକରେ ଆଲୋଚନା ପରେ ଗ୍ରହଣ କରାଯାଇଛି ।ନିଲମ୍ବିତ ବିଧାୟକମାନେ ହେଲେ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ ।
ପୂର୍ବରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସେମାନଙ୍କ ଉତ୍ତରକୁ ବିଚାର କରି ପରେ ଦଳର ରାଜନୈତିକ ବ୍ୟାପାର କମିଟି ଏହି ନିଷ୍ପତ୍ତି ନେଇଛି ।ଅନୁଶାସନ କମିଟି ଓ ମୁଖ୍ୟ ସଚେତକଙ୍କ ସୁପାରିଶ ଆଧାରରେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିଲମ୍ବନ ଆଦେଶକୁ ଅନୁମୋଦନ କରିଛନ୍ତି । ଦଳର ମତାନୁସାରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ବିଜେଡିର ମୂଳ ନୀତି ଓ ନିୟମର ବିରୋଧୀ ।
ବିଜେଡି ପକ୍ଷରୁ କୁହାଯାଇଛି ଯେ ଦଳର ପ୍ରତ୍ୟେକ ସଦସ୍ୟଙ୍କର ଦଳୀୟ ନିଷ୍ପତ୍ତି ପ୍ରତି ପୂର୍ଣ୍ଣ ଆନୁଗତ୍ୟ ରଖିବା କର୍ତ୍ତବ୍ୟ, ଯାହାକୁ ଏହି ବିଧାୟକମାନେ ଉଲ୍ଲଂଘନ କରିଛନ୍ତି । ଏହା ସହିତ ଏହି ୬ ବିଧାୟକଙ୍କ ସଦସ୍ୟପଦ ବାତିଲ ପାଇଁ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।

