ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନ ପରେ ରାଜ୍ୟର ରାଜନୀତିରେ ତିବ୍ର ଅସ୍ଥିରତା ଦେଖାଦେଇଛି। ବିଶେଷକରି ବିଜେଡ଼ି ଓ କଂଗ୍ରେସ ଦଳରେ ଜୋରଦାର କନ୍ଦଳ ଆରମ୍ଭ ହୋଇଥିବା ବେଳେ କଟକ ରାଜନୀତି ଏବେ ତପ୍ତ ହୋଇଯାଇଛି।କଟକର ବାପା-ପୁଅ ଯୋଡ଼ି ପ୍ରଭାତ ବିଶ୍ୱାଳ ଓ ସୌଭିକ ବିଶ୍ୱାଳଙ୍କ ସମର୍ଥନରେ ଏବେ ଏକାଧିକ କର୍ପୋରେଟର୍ ଏକାଠି ହୋଇଛନ୍ତି।
ପ୍ରାୟ ୧୪ ଜଣ କର୍ପୋରେଟର୍ ବିଜେଡ଼ି ଛାଡ଼ିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ଚାଲିଛି।ଆଜି ସିଏମସି ମେୟର ସୁବାସ ସିଂଙ୍କ ସହ କିଛି କର୍ପୋରେଟର୍ ଏସସିବି ଘଟଣାକୁ ନେଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ଏତଲା ଦେବାକୁ ଯାଇଥିବା ବେଳେ, କଟକ-ଚୌଦ୍ୱାର ଅଞ୍ଚଳର କୌଣସି କର୍ପୋରେଟର୍ ଉପସ୍ଥିତ ନଥିବା ଦେଖାଯାଇଥିଲା। ଏହା ଦଳଭିତ୍ତିକ ଭିନ୍ନମତକୁ ଆହୁରି ପ୍ରକାଶ କରିଛି। ଅନ୍ୟପଟେ ପ୍ରଭାତ ଓ ସୌଭିକଙ୍କ ସମର୍ଥନରେ ଥିବା କର୍ପୋରେଟର୍ମାନେ କହିଛନ୍ତି ଯେ ଯେପରି ଭାବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି, ସେଥିପାଇଁ ସେମାନେ ଏହାକୁ କେବେ ବରଦାସ୍ତ କରିବେ ନାହିଁ। କର୍ପୋରେଟର୍ ଅରବିନ୍ଦ ଜେନା ଏହାକୁ କଡା ଭାବେ ବିରୋଧ କରିଥିବା ବେଳେ, ବିଶ୍ୱ ବନ୍ଦିତା ପଣ୍ଡା କହିଛନ୍ତି ଯେ ବିଜେଡ଼ିରେ ପ୍ରଭାତ ବିଶ୍ୱାଳଙ୍କୁ ନେତା ଭାବେ ମାନାଯାଏ।
ବହିଷ୍କାର ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଦଳ ସୁପ୍ରିମୋଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଆଗାମୀ ଦିନ କିମ୍ବା ଦୁଇ ଦିନ ମଧ୍ୟରେ ସମସ୍ତ କର୍ପୋରେଟର୍ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି, ଯାହା ଘଟିଲେ ବିଜେଡ଼ି ପାଇଁ ଏକ ବଡ଼ ଝଟକା ହେବ।ତଥାପି ମେୟର ସୁବାସ ସିଂ କହିଛନ୍ତି ଯେ ଯେମାନେ ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିଲେ, ସେମାନେ ବାହାରିଗଲେ ବିଜେଡ଼ି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, ବରଂ ଦଳ ଆହୁରି ଶକ୍ତିଶାଳୀ ହେବ।ଗତକାଲି ସହରର ବିଭିନ୍ନ ସ୍ଥାନରେ ସୌଭିକ ବିଶ୍ୱାଳ ଓ ପ୍ରଭାତ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ବେଳେ, କଟକ ଜିଲ୍ଲାର ତିନି ବିଧାୟକ ସୋଫିଆ ଫିର୍ଦ୍ଦୋସ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳଙ୍କ ବିରୋଧରେ ମଧ୍ୟ ପ୍ରତିବାଦ ହୋଇଥିଲା। ଏହି ସମସ୍ତ ଘଟଣା କଟକ ରାଜନୀତିକ ପରିସ୍ଥିତିକୁ ଆହୁରି ତିବ୍ର କରିଦେଇଛି।

