ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାର ଦୁଇଜଣ ଭେଟେରାନ୍ ରାଜନେତା ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ପୁଣିଥରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି।ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବାଲେଶ୍ୱର ଜିଲ୍ଲାରେ ବିଜେଡି ଆହୁରି ଶକ୍ତିଶାଳୀ ହେବ।
ଦଳର ସଂଗଠନକୁ ମଜବୁତ କରିବାରେ ସେମାନଙ୍କ ଅଭିଜ୍ଞତା ଉପକାରୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ବିଜେଡିରେ ପୁନଃ ଯୋଗଦାନ କରିବା ପରେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ଦଳ ସଭାପତିଙ୍କୁ କୃତଜ୍ଞତା ଜଣାଇଥିଲେ। ସେମାନେ କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାର ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହି ଆସନରେ ବିଜେଡିକୁ ଆହୁରି ମଜବୁତ କରିବା ପାଇଁ ସେମାନେ ଏକତ୍ର ହୋଇ କାମ କରିବେ।
ଉଲ୍ଲେଖନୀୟ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ ମସିହାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଏବଂ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ, କିନ୍ତୁ ସେ ପରାଜିତ ହୋଇଥିଲେ। ପରେ ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡିଥିଲେ। ସେହିପରି ଜୀବନ ପ୍ରଦୀପ ଦାସ ମଧ୍ୟ ୨୦୨୦ରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଏବେ ଦୁଇଜଣ ନେତାଙ୍କ ପୁନଃ ବିଜେଡିରେ ଫେରାରୁ ଜିଲ୍ଲାର ରାଜନୀତିରେ ନୂତନ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି।

