Thu. Apr 16th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ୨୪ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟମାନଙ୍କୁ ପୁରସ୍କୃତ କରିଥିଲେ । ସେ ଖେଳାଳିମାନଙ୍କୁ ଆଗାମୀ ଦିନରେ ନିଜ ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଇ କହିଥିଲେ ଯେ ହାର ଜିତ ଖେଳର ଅଂଶ, କିନ୍ତୁ ଜୀବନର ସଂଘର୍ଷକୁ ଜିତିବା ହେଉଛି ପ୍ରକୃତ ସଫଳତା ।

ମୁଖ୍ୟମନ୍ତ୍ରୀ ଆଥଲେଟମାନଙ୍କୁ ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କରିବାର ଉଦାହରଣ ବୋଲି ପ୍ରଶଂସା କରିଥିଲେ । ସେ ଆଗାମୀ ଏସିଆନ ପାରା ଗେମ୍ସରେ ଦେଶ ପାଇଁ ଗୌରବ ଆଣିବାକୁ ଆହ୍ୱାନ କରିଥିବା ସହ ଓଡିଶାର ୪୦ ଜଣ ଆଥଲେଟଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ।ନିଜ ଅଭିଭାଷଣରେ ସେ ପ୍ରମୋଦ ଭଗତ ଓ ଭି. ରମେଶ ରାଓଙ୍କ ପରି ସଫଳ କ୍ରୀଡାବିତମାନଙ୍କୁ ଅନୁସରଣ କରି ଉତ୍କର୍ଷ ହାସଲ କରିବାକୁ କହିଥିଲେ । ସେ କହିଥିଲେ ଯେ ଓଡିଶା ଆଜି ବିଶ୍ୱ କ୍ରୀଡା ମାନଚିତ୍ରରେ ନିଜର ସ୍ଥାନ ସୃଷ୍ଟି କରିପାରିଛି ଏବଂ ଭବିଷ୍ୟତରେ କ୍ରୀଡା ଉନ୍ନତି ପାଇଁ ଭିତ୍ତିଭୂମି, ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଆୟୋଜନରେ ଜୋର ଦିଆଯିବ ।

ସେ ଏହା ମଧ୍ୟ କହିଥିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଓ ସମର୍ଥନରେ ଓଡିଶାରେ କ୍ରୀଡାର ବିକାଶ ସମ୍ଭବ ହୋଇପାରିଛି ।ଏହି ଚାମ୍ପିୟାନସିପରେ ଓଡିଶା ୫ଟି ସ୍ବର୍ଣ୍ଣ ସହ ମୋଟ ୧୭ଟି ପଦକ ଜିତି ସଫଳତା ହାସଲ କରିଛି । କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ବିଭାଗ ସଚିବ ସଚିନ ଆର ଯାଦବ ଓ ଅନ୍ୟାନ୍ୟ କ୍ରୀଡା ସଂଗଠନର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *