ନ୍ୟୁଜ ଡେକ୍ସ : ସମ୍ବଲପୁର ସର୍କଲ୍ ଜେଲରେ ପୋଲିସ ପକ୍ଷରୁ ଆଜି ସକାଳୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ସର୍ଚ୍ଚ ଅପରେସନ ଚାଲିଥିବା ଜଣାପଡ଼ିଛି। ଜେଲ୍ ଭିତରେ ବେଆଇନ କାରବାର ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଏହି ଅଚମ୍କା ରେଡ୍ କରାଯାଇଥିଲା।
ଏହି ଚଢ଼ାଉରେ ତିନିଜଣ ଅତିରିକ୍ତ ଏସପି, ଜଣେ ଏସଡିପିଓ ଓ ୫ଟି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସହ ବହୁ ସଂଖ୍ୟକ ପୋଲିସ ବଳ ସାମିଲ ଥିଲେ। ଜେଲ୍ର ପ୍ରତ୍ୟେକ କୋଣ ଅନୁକୋଣରେ ତଲାସି କରାଯାଇଥିବା ବେଳେ ବିଶେଷକରି କଏଦୀମାନଙ୍କ ପାଖକୁ ନିଷିଦ୍ଧ ସାମଗ୍ରୀ କିମ୍ବା ମାଦକ ଦ୍ରବ୍ୟ ପହଞ୍ଚୁଛି କି ନାହିଁ ସେଥିରେ ଗୁରୁତ୍ୱ ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ପୋଲିସ ଟିମ୍ ଜେଲ୍ ଭିତରେ ରହି ତଦନ୍ତ ଜାରି ରଖିଛି। ଏହି ରେଡ୍ ପରେ ଜେଲ୍ର ଭିତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଢ଼ା କରିବା ସହ ବେଆଇନ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣ ରୋକ୍ ଲଗାଇବାକୁ ପୋଲିସ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

