ନ୍ୟୁଜ ଡେକ୍ସ : ରାଜ୍ୟର ଖଣି ଖାତରେ ବଡ଼ ପଦକ୍ଷେପ ନେଇ ଓଡ଼ିଶା ସରକାର ୩୪ଟି ଖଣିକୁ ନିଲାମ କରିବାକୁ ଯୋଜନା କରିଛନ୍ତି। ଏଥିରେ ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ, ଚୂନପଥର, ତମ୍ବା ସହିତ ସୁନା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି। ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଏହି ଖଣିଗୁଡ଼ିକ ଅବସ୍ଥିତ ଅଛି।
ସୂଚନା ଅନୁସାରେ, ରାଜ୍ୟ ସରକାର ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ। ଖଣି ଓ ଖଣିଜ ନିୟମ ୨୦୧୫ ଅନୁଯାୟୀ ୫୦ ବର୍ଷିଆ ଲିଜ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ଓ ୯ଟି କ୍ରିଟିକାଲ୍ ମିନେରାଲ୍ ଖଣି ରହିଛି।ବିଧାନସଭାରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା, ହୀରା ଓ ମାଣିକ ଖଣି ଠାବ କରାଯାଇଛି। ମୟୂରଭଞ୍ଜର ମଦନସାହି-କାଞ୍ଜିଆ ଓ କେନ୍ଦୁଝରର ଜଳଡିହରେ ସୁନା ଖଣି ନିଲାମ ପାଇଁ ସରକାର ଯୋଜନା କରୁଛନ୍ତି। ଏହାସହିତ ଦେବଗଡ଼ର ଅଡସ-ରାମପଲ୍ଲୀରେ ଥିବା ସୁନା ଖଣିକୁ ମଧ୍ୟ ନିଲାମ କରାଯିବ।
ତଦୁପରି, ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗୀରରେ ଗ୍ରାଫାଇଟ୍, ବଲାଙ୍ଗୀରରେ ଭାନାଡିୟମ, ଦେବଗଡ଼ରେ ସୁନା ଓ ମାଲାକାନଗିରିରେ ଟିଣ ଖଣି ନିଲାମ ତାଲିକାରେ ରହିଛି। ଏହି ସମସ୍ତ ଖଣିଗୁଡ଼ିକୁ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା ଦ୍ୱାରା ଠାବ ଓ ଅନୁସନ୍ଧାନ କରାଯାଇଛି।୨୦୨୩ ପରଠାରୁ ରାଜ୍ୟରେ ନୂଆ ଖଣି ନିଲାମ ହୋଇନଥିବାବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପୂର୍ବରୁ ୩୦ଟି ଖଣିକୁ ନିଲାମ ପାଇଁ ପ୍ରସ୍ତୁତ କରିଥିଲେ। ସେଥିରୁ ୮ଟି ଖଣି ଆଗରୁ ନିଲାମ ହୋଇସାରିଛି। ଏବେ ଅବଶିଷ୍ଟ ଖଣିଗୁଡ଼ିକ ନିଲାମ ମାଧ୍ୟମରେ ରାଜ୍ୟର ଆର୍ଥିକ ଉନ୍ନତିକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି।

