Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନ ବେଳେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକ୍ ବୋଲି କହିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। କଟକକୁ କିଏ କଳଙ୍କିତ କରୁଛନ୍ତି, ତାହା ସମସ୍ତେ ଭଲଭାବେ ଜାଣନ୍ତି, ଏଥିରେ ଆଉ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ସେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଆସୁଥିବା ଅଭିଯୋଗ ଓ କଟକକୁ କଳଙ୍କିତ କରିବା ନେଇ ଉଠିଥିବା ବିବାଦ ଉପରେ ସୋଫିଆ ନାଁ ନଧରି ପରୋକ୍ଷରେ କଟକ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି।

ସେ କହିଛନ୍ତି ଯେ ନିର୍ବାଚନ ଶେଷ ହୋଇ ୧୦ ଦିନ ହୋଇଯାଇଛି, କିନ୍ତୁ କେତେକ ଲୋକ ଏହି ବିଷୟକୁ ନେଇ ଏବେ ମଧ୍ୟ ରାଜନୀତି କରୁଛନ୍ତି।ସୋଫିଆ କହିଛନ୍ତି, ସେ ସମୟରେ ନିଆଯାଇଥିବା ନିଷ୍ପତ୍ତି ସଠିକ୍ ଥିଲା ବୋଲି କଟକବାସୀ ଭଲଭାବେ ଜାଣନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ସେ ପୂର୍ବରୁ ମଧ୍ୟ ଖୋଲାଖୋଲି ଜନସାଧାରଣଙ୍କୁ ଜଣାଇଥିବା କଥା ସେ ଉଲ୍ଲେଖ କରିଛନ୍ତି। ସେହିପରି ସେ କଟକ ମହାନଗର ନିଗମ (ସିଏମସି) ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ସିଏମସି ଦୁର୍ନୀତିଗ୍ରସ୍ତ ହୋଇପଡ଼ିଛି ବୋଲି କହି ସେ କହିଛନ୍ତି ଯେ ସହରରେ ଅନେକ ସମସ୍ୟା ରହିଛି। ଅଳିଆ ଆବର୍ଜନା, ନାଳ ନର୍ଦ୍ଦମା ଓ ବକ୍ସ ଡ୍ରେନ୍ ସମସ୍ୟା ନେଇ ଲୋକେ ଅସୁବିଧାରେ ଅଛନ୍ତି।

ସହରକୁ ସଫା ସୁତୁରା ରଖିବା ମେୟରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି।ଏହି ପରିସ୍ଥିତିରେ ମେୟରଙ୍କ କଥାକୁ ସେ କୌଣସି ଗୁରୁତ୍ୱ ଦେଉନଥିବା କହିଛନ୍ତି। ଉଲ୍ଲେଖନୀୟ, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଅଭିଯୋଗରେ କଟକର ତିନି ବିଧାୟକ ସୌଭିକ ବିଶ୍ୱାଳ, ସୋଫିଆ ଫିର୍ଦ୍ଦୋସ ଓ ଦେବୀ ରଞ୍ଜନ ତ୍ରିପାଠୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଘଟଣା ପରେ ରାଜନୈତିକ ପରିସ୍ଥିତି ଆହୁରି ତିବ୍ର ହୋଇଯାଇଛି।

Leave a Reply

Your email address will not be published. Required fields are marked *