ନ୍ୟୁଜ ଡେକ୍ସ : ନେପାଳରେ ବଡ଼ ରାଜନୈତିକ ପରିବର୍ତ୍ତନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଓ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖାକଙ୍କୁ ଗିରଫ କରାଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିବା ଜେନ୍-ଜି ବିରୋଧ ପ୍ରଦର୍ଶନ ସମୟରେ ହିଂସା ଓ ମୃତ୍ୟୁ ଘଟଣାରେ ସେମାନଙ୍କ ଉପରେ ଅଭିଯୋଗ ରହିଛି।ଏହି ଗିରଫଦାରୀ ଘଟଣା କାଠମାଣ୍ଡୁରେ ଘଟିଥିବାବେଳେ, କାଠମାଣ୍ଡୁ ମହାନଗର ପାଳକ ବାଲେନ୍ ଶାହ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ଘଟିଥିବାରୁ ଏହାକୁ ଗୁରୁତ୍ୱ ସହ ଦେଖାଯାଉଛି।
ଗତ ବର୍ଷର ଏହି ପ୍ରଦର୍ଶନରେ ପ୍ରାୟ ୧୯ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରଦର୍ଶନକାରୀମାନଙ୍କ ଉପରେ ପୋଲିସ ଗୁଳି ଚଳାଇଥିବା ଅଭିଯୋଗ ଉଠିଥିଲା। ଏକ ତଦନ୍ତ କମିଶନ ରିପୋର୍ଟରେ ଓଲି ଓ ଲେଖାକଙ୍କୁ ଏହି ଘଟଣାରେ ଦାୟୀ କରାଯାଇଥିଲା।ରିପୋର୍ଟ ଅନୁସାରେ, ପ୍ରଦର୍ଶନ ସମୟରେ ଘଟିଥିବା ମୃତ୍ୟୁକୁ ରୋକିବା ପାଇଁ ସେମାନେ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନଥିଲେ। ସେତେବେଳେ ଓଲି ପ୍ରଧାନମନ୍ତ୍ରୀ ଓ ଲେଖାକ ଗୃହମନ୍ତ୍ରୀ ଭାବେ ଦାୟିତ୍ୱରେ ଥିଲେ। ପ୍ରଦର୍ଶନକାରୀମାନେ ସରକାରର ଦୁର୍ନୀତି ଏବଂ ସୋସିଆଲ୍ ମିଡିଆ ବ୍ୟାନ୍ ପ୍ରସ୍ତାବର ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ।
ପରେ ହିଂସା ବ୍ୟାପି ଯାଇଥିଲା ଓ ପୋଲିସ ଲାଠିଚାର୍ଜ କରିଥିଲା, ଯାହା ପରେ ସେତେବେଳେର ସରକାର ପତନ ହୋଇଥିଲା।ଦୀର୍ଘ ଦିନ ଧରି ଜେନ୍-ଜି ଯୁବମାନେ ଓଲି ଓ ଲେଖାକଙ୍କ ଗିରଫ ଦାବି କରୁଥିଲେ ଏବଂ ସୋସିଆଲ୍ ମିଡିଆରେ ଏହା ନେଇ ଅଭିଯାନ ଚାଲିଥିଲା। ଏବେ ସେହି ଦାବି ପୂରଣ ହୋଇଛି।ଏହି ଘଟଣା ପରେ ନେପାଳର ରାଜନୀତିରେ ନୂଆ ମୋଡ଼ ଆସିପାରେ ବୋଲି ମତ ପ୍ରକାଶ ପାଉଛି। ପୋଲିସ ଏବେ ଆହୁରି ତଦନ୍ତ ଜାରି ରଖିଛି।

