ନ୍ୟୁଜ ଡେକ୍ସ : ସଉଦି ଆରବର ପ୍ରିନ୍ସ ସୁଲତାନ ଏୟାରବେସ୍ ଉପରେ ଇରାନ ଦ୍ୱାରା ଶୁକ୍ରବାର ଦିନ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ଏହି ଆକ୍ରମଣରେ କେତେକ ଆମେରିକୀୟ ସୈନିକ ଆହତ ହୋଇଥିବା ସହ ଆମେରିକୀୟ ରିଫ୍ୟୁଏଲିଂ ବିମାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।ଆମେରିକୀୟ ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ଆକ୍ରମଣରେ କମ୍ରେ କମ୍ ୧୦ ଜଣ ସେନା ଆହତ ହୋଇଛନ୍ତି।
ସେଥିରୁ ୨ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ସାଟେଲାଇଟ୍ ଛବିରେ ବିମାନ କ୍ଷତିର ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି।ଏହା ପ୍ରଥମ ଘଟଣା ନୁହେଁ। ମାର୍ଚ୍ଚ ୧ ତାରିଖରେ ମଧ୍ୟ ଏହି ଏୟାରବେସ୍ ଉପରେ ଆକ୍ରମଣ ହୋଇଥିଲା। ସେହି ଆକ୍ରମଣରେ ଆର୍ମି ସାର୍ଜେଣ୍ଟ ବେଞ୍ଜାମିନ୍ ଏନ୍. ପେନିଙ୍ଗଟନ୍ ଆହତ ହୋଇ ପରେ ମୃତ୍ୟୁବରଣ କରିଥିଲେ।ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ୍ ଅନୁସାରେ, ଗତ ମାସରେ ଚାଲିଥିବା ସଂଘର୍ଷରେ ୩୦୦ରୁ ଅଧିକ ଆମେରିକୀୟ ସେନା ଆହତ ହୋଇଛନ୍ତି।
ସେଥିରୁ ଅଧିକାଂଶ ପୁନର୍ବାର କାର୍ଯ୍ୟରେ ଫେରିଥିବାବେଳେ, କିଛି ଏପର୍ଯ୍ୟନ୍ତ ଚିକିତ୍ସାଧୀନ ଅଛନ୍ତି।ଏହି ଆକ୍ରମଣ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନର ସେନାକୁ ଦୂର୍ବଳ କରାଯାଇଛି। ସେହିପରି ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗ୍ସେଥ୍ ମଧ୍ୟ ଆମେରିକୀୟ ସେନାର କାର୍ଯ୍ୟକୁ ଇତିହାସରେ ସର୍ବଶ୍ରେଷ୍ଠ ବୋଲି ବର୍ଣ୍ଣନା କରିଥିଲେ।ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଲଗାତାର ତଣ୍ଟା ଚାଲିଥିବା ବେଳେ, ଏହି ଆକ୍ରମଣ ପରିସ୍ଥିତିକୁ ଆଉ ଅଧିକ ଉତ୍ତେଜନାପୂର୍ଣ୍ଣ କରିଦେଇଛି।

