Fri. Apr 17th, 2026

ନ୍ୟୁଜ ଡେକ୍ସ : ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଯୋଗାଣ ସମ୍ବନ୍ଧୀୟ ପରିସ୍ଥିତିର ସମୀକ୍ଷା ସହିତ ଆଗାମୀ ରଣନୀତି ନେଇ ଆଲୋଚନା ହୋଇଥିଲା।ଏହି ସମୟରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଦେଶବ୍ୟାପୀ କୌଣସି ଲକଡାଉନ୍ ଲାଗୁ କରାଯିବ ନାହିଁ।

ସେ କହିଥିଲେ ଯେ ଏପରି କଠୋର ପଦକ୍ଷେପର ଆବଶ୍ୟକତା ନାହିଁ ଏବଂ “ଟିମ୍ ଇଣ୍ଡିଆ” ଭାବେ ସମସ୍ତେ ଏକାଠି କାମ କଲେ ଏହି ସମସ୍ୟାକୁ ସହଜରେ ମୁକାବିଲା କରାଯାଇପାରିବ।ଯୋଗାଣ ଶୃଙ୍ଖଳକୁ ସୁଚାଳିତ ରଖିବା ସହିତ ମହଜୁଦକାରୀ ଓ ଲାଭଖୋରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟ ନେବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିଲା। ସେହିପରି ପରିବର୍ତ୍ତିତ ପରିସ୍ଥିତିକୁ ଶୀଘ୍ର ମୁକାବିଲା ପାଇଁ ସମସ୍ତ ସ୍ତରରେ ଦୃଢ଼ ସମନ୍ୱୟ ବ୍ୟବସ୍ଥା ଗଢ଼ିଉଠିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟମାନେ ନିଜ ନିଜ ଅଞ୍ଚଳରେ ଇନ୍ଧନର ପର୍ଯ୍ୟାପ୍ତ ମଜୁତ ଥିବାରୁ ପରିସ୍ଥିତି ସ୍ଥିର ରହିଥିବା ବୋଲି ବିଶ୍ୱାସ ଜଣାଇଥିଲେ। ସୀମାନ୍ତ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ ଜାହାଜ ଚଳାଚଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନେଇ ସତର୍କ ରହିବାକୁ କୁହାଯାଇଥିଲା।ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଜୋର ଦେଇ କହିଥିଲେ ଯେ ଏପରି ସମୟରେ କିଛି ଅସାମାଜିକ ଉପାଦାନ ସୁଯୋଗ ନେବାକୁ ଚେଷ୍ଟା କରନ୍ତି।

ସେହିପାଇଁ ସୀମା, ଉପକୂଳ, ସାଇବର ଓ ରଣନୈତିକ କ୍ଷେତ୍ରରେ ସୁରକ୍ଷାକୁ ଆହୁରି ମଜବୁତ କରାଯାଉଛି ବୋଲି ସେ କହିଥିଲେ।ବୈଠକରେ ଏନ୍. ଚନ୍ଦ୍ରବାବୁ ନାଇଡୁ, ଯୋଗୀ ଆଦିତ୍ୟନାଥ, ରେୱନ୍ତ ରେଡ୍ଡୀ, ଭଗବନ୍ତ ମାନ, ଭୂପେନ୍ଦ୍ର ପଟେଲ, ଓମାର ଅବଦୁଲ୍ଲା, ସୁଖବିନ୍ଦର ସିଂହ ସୁଖୁ ଓ ପେମା ଖଣ୍ଡୁ ସହ ଅନ୍ୟାନ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।ଏହି ବୈଠକରେ ରାଜନାଥ ସିଂହ ଓ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *