ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଜେୱରରେ ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି। ଏହି ବିମାନବନ୍ଦର ଦିଲ୍ଲୀ-ଏନସିଆର ଅଞ୍ଚଳର ଦ୍ୱିତୀୟ ପ୍ରମୁଖ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଉଭୁକି ଆସିଛି, ଯାହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ବଢ଼ୁଥିବା ଚାପକୁ କମାଇବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ବିମାନବନ୍ଦର ଟର୍ମିନାଲ ପରିଦର୍ଶନ କରିଥିଲେ ଏବଂ ପ୍ରାୟ ୧୨ଟା ୨୦ରେ ଏହାର ଉଦଘାଟନ କରିଥିଲେ। ପରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ ଉପସ୍ଥିତ ଥିଲେ।ଏହି ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦର ପ୍ରତିବର୍ଷ ପ୍ରାୟ ୧.୨ କୋଟି ଯାତ୍ରୀଙ୍କୁ ସେବା ଦେବାକୁ ସକ୍ଷମ ହେବ। ଭବିଷ୍ୟତରେ ଏହାକୁ ଆହୁରି ବିସ୍ତାର କରାଯିବା ପାଇଁ ଯୋଜନା ରହିଛି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିମାନବନ୍ଦର ଯୁବପିଢ଼ିଙ୍କ ଭବିଷ୍ୟତକୁ ନୂତନ ଉଡାଣ ଦେବ।
ଏହା ଆଗ୍ରା, ମଥୁରା, ଆଲିଗଡ଼, ଗାଜିଆବାଦ, ମିରଟ, ଇଟାୱା, ବୁଲନ୍ଦସହର ଓ ଫରିଦାବାଦ ଭଳି ଅଞ୍ଚଳକୁ ବହୁତ ଲାଭ ଦେବା ସହ ପଶ୍ଚିମ ଉତ୍ତର ପ୍ରଦେଶର ଚାଷୀ, କ୍ଷୁଦ୍ର ଶିଳ୍ପ ଓ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।ସେ ଆହୁରି କହିଥିଲେ ଯେ, ଏହି ବିମାନବନ୍ଦର ଅଞ୍ଚଳକୁ ବିଶ୍ୱ ସହିତ ସଂଯୋଗ କରିବା ସହ ଏକ ବିକଶିତ ଉତ୍ତର ପ୍ରଦେଶର ପ୍ରତୀକ ହେବ।୩,୦୦୦ ଏକରରୁ ଅଧିକ ଜମିରେ ପ୍ରାୟ ୧୧,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନବନ୍ଦରରେ ୪ କିଲୋମିଟର ଲମ୍ବା ରନୱେ ରହିଛି।
ସରକାରୀ-ଘରୋଇ ସହଭାଗୀତା ମଡେଲ ଅଧୀନରେ ବିକଶିତ ଏହି ପ୍ରକଳ୍ପ ଆଧୁନିକ ନାଭିଗେସନ୍ ବ୍ୟବସ୍ଥା ଓ ୨୪ ଘଣ୍ଟା ସେବା ସୁବିଧା ସହିତ ସଜ୍ଜିତ ଅଟେ।ଏହି ବିମାନବନ୍ଦର ଭାରତର ବିମାନ ଯାତାୟାତ କ୍ଷେତ୍ରକୁ ନୂତନ ଦିଗ ଦେବା ସହିତ ଅର୍ଥନୈତିକ ଉନ୍ନତିକୁ ମଧ୍ୟ ତ୍ୱରାନ୍ବିତ କରିବ ବୋଲି ଆଶା କରାଯାଉଛି।

