Fri. Apr 17th, 2026

ନ୍ୟୁଜ ଡେକ୍ସ : ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଦେଶର ବିଭିନ୍ନ କ୍ଷେତ୍ରରେ ନୂତନ ନିୟମ ଲାଗୁ ହେବାକୁ ଯାଉଥିବାବେଳେ ରେଳ ଯାତ୍ରା ସମ୍ପର୍କିତ କିଛି ମୁଖ୍ୟ ପରିବର୍ତ୍ତନ ମଧ୍ୟ ଆସୁଛି। ଭାରତୀୟ ରେଳବେ ପକ୍ଷରୁ ଟ୍ରେନ୍ ଟିକେଟ୍ ବାତିଲ ନିୟମରେ ଏହି ପରିବର୍ତ୍ତନ ୧ ଏପ୍ରିଲ୍ ଠାରୁ ୧୫ ଏପ୍ରିଲ୍ ମଧ୍ୟରେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।ନୂତନ ନିୟମ ଅନୁଯାୟୀ, ପୂର୍ବରୁ ଟ୍ରେନ୍ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କରିଲେ ଟଙ୍କା ଫେରସ୍ତ ମିଳୁଥିଲା, କିନ୍ତୁ ଏବେ ଏହି ସମୟସୀମାକୁ ୮ ଘଣ୍ଟା କରାଯାଇଛି।

ଅର୍ଥାତ୍ ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କଲେ ହିଁ ଯାତ୍ରୀମାନେ ଟଙ୍କା ଫେରସ୍ତ ପାଇପାରିବେ। ଏହା ପରେ ବାତିଲ କଲେ ଟଙ୍କା ଫେରସ୍ତ ମିଳିବ ନାହିଁ।ସେହିପରି, ଯଦି ଟ୍ରେନ୍ ଛାଡ଼ିବାର ୮ ରୁ ୨୪ ଘଣ୍ଟା ମଧ୍ୟରେ କନଫର୍ମ ଟିକେଟ୍ ବାତିଲ କରାଯାଏ, ତେବେ ୫୦ ପ୍ରତିଶତ ଟଙ୍କା ଫେରସ୍ତ ହେବ। ଯଦି ୨୪ ରୁ ୭୨ ଘଣ୍ଟା ମଧ୍ୟରେ ବାତିଲ କରାଯାଏ, ତେବେ ଅତିରିକ୍ତ ଚାର୍ଜ କଟିବା ସହ ୨୫ ପ୍ରତିଶତ ରିହାତି ମିଳିବ। ଏହାସହିତ, ଯଦି ଟ୍ରେନ୍ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କରାଯାଏ, ତେବେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ହେବ।ଏହା ବ୍ୟତୀତ, ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ ନିୟମରେ ମଧ୍ୟ ବଡ଼ ସୁବିଧା ଆଣାଯାଇଛି। ଏବେ ଯାତ୍ରୀମାନେ ଟ୍ରେନର ନିର୍ଦ୍ଧାରିତ ପ୍ରସ୍ଥାନ ସମୟର ୩୦ ମିନିଟ୍ ପୂର୍ବରୁ ସେମାନଙ୍କ ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ କରିପାରିବେ।

ପୂର୍ବରୁ ଏହି ସୁବିଧା କେବଳ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ସୀମିତ ଥିଲା।ନୂତନ ନିୟମ ଅନୁଯାୟୀ, ବଡ଼ ସହରରେ ଥିବା ଅଧିକ ରେଳ ଷ୍ଟେସନ ମଧ୍ୟରୁ ଯାତ୍ରୀମାନେ ସହଜରେ ନିକଟତମ ଷ୍ଟେସନରୁ ଟ୍ରେନରେ ଚଢ଼ିପାରିବେ, ଯାହା ଯାତ୍ରାକୁ ଅଧିକ ସୁବିଧାଜନକ କରିବ।ଏହାସହିତ, ଟ୍ରେନ୍ ବିଳମ୍ବ ସମ୍ପର୍କରେ ମଧ୍ୟ ନୂତନ ନିୟମ ଆଣାଯାଇଛି। ଯଦି କୌଣସି ଟ୍ରେନ୍ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ, ତେବେ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଟିକେଟ୍ ଟଙ୍କା ଫେରସ୍ତ ମିଳିବ। ସେହିପରି, ଟ୍ରେନ୍ ବାତିଲ ହେଲେ ପୂର୍ବବତ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ଦିଆଯିବ।ଏହି ସମସ୍ତ ପରିବର୍ତ୍ତନ ଯାତ୍ରୀମାନଙ୍କ ସୁବିଧାକୁ ମଧ୍ୟନଜରରେ ରଖି ଆଣାଯାଇଥିବାବେଳେ, ନୂତନ ନିୟମ ବିଷୟରେ ପୂର୍ବରୁ ଜାଣି ରଖିଲେ ଯାତ୍ରୀମାନେ ଅନାବଶ୍ୟକ ଅସୁବିଧା ଓ ଆର୍ଥିକ କ୍ଷତିରୁ ରକ୍ଷା ପାଇପାରିବେ।

Leave a Reply

Your email address will not be published. Required fields are marked *