ନ୍ୟୁଜ ଡେକ୍ସ : ଭୁବନେଶ୍ୱରରେ ଥିବା କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି ମୋତିଲାଲ୍ ଓସୱାଲ୍ ଫାଉଣ୍ଡେସନ୍ର ଭାଇସ୍ ଚେୟାରପର୍ସନ ସୁନିତା ଅଗ୍ରୱାଲ। ସେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ପରିଦର୍ଶନ କରିବା ସହ କିସ୍ର ସମସ୍ତ ୟୁନିଟ୍ ଘୁରି ଦେଖିଥିଲେ।ଏହି ଅବସରରେ ସେ କିସ୍ର ପ୍ରାୟ ୧୦ ହଜାର ଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ କିସ୍ ଭଳି ଅନୁଷ୍ଠାନ ନିଶ୍ଚୟ ଅଦ୍ୱିତୀୟ।
କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ।ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇ ସୁନିତା କହିଥିଲେ ଯେ ତୁମେମାନେ ବଡ଼ ସ୍ୱପ୍ନ ଦେଖ ଓ ସେହି ସ୍ୱପ୍ନ ପୂରଣ ପାଇଁ ପ୍ରୟାସ କର। ଡକ୍ଟର ସାମନ୍ତଙ୍କ ଭଳି ସ୍ୱପ୍ନ ଦେଖିବା ଓ ସମାଜ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ କହିବା ସହଜ ହେଲେ ମଧ୍ୟ କିସ୍ ଭଳି ତୃଣମୂଳସ୍ତରରେ କାମ କରିବା ବହୁତ କଷ୍ଟକର। କିସ୍ର ପରିବେଶ ଦେଖି ସେ ଖୁସି ପ୍ରକାଶ କରିଥିବା ସହ ଛାତ୍ରଛାତ୍ରୀମାନେ ଏଠାରେ ପଢ଼ିବାର ସୁଯୋଗ ପାଇଥିବାରୁ ଭାଗ୍ୟବାନ ବୋଲି କହିଥିଲେ।
ଏହି ସୁଯୋଗର ସଦୁପଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ।ଏହାସହ କିସ୍ ବଲାଙ୍ଗିରିର ଛାତ୍ରଛାତ୍ରୀଙ୍କ ସହ ସେ ଆଭାସୀ ମାଧ୍ୟମରେ ସିଧାସଳଖ ଭାବ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ ସୁନିତା ଅଗ୍ରୱାଲଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ଅବଦାନକୁ ପ୍ରଶଂସା କରିଥିଲେ ଓ ତାଙ୍କ ପରିଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ।

