ନ୍ୟୁଜ ଡେକ୍ସ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ। ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି।ବିଶେଷ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଚଢ଼ାଉ କରି ତାଙ୍କୁ ଅଟକାଇଥିଲା।
ଭିଜିଲାନ୍ସ କୋର୍ଟର ସର୍ଚ୍ଚ ୱାରେଣ୍ଟ ଆଧାରରେ ତାଙ୍କ ପାଖରୁ ପ୍ରାୟ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି।ଏହା ପରେ ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଥିବା ତାଙ୍କର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରୁ ଆଉ ୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି।
ସେହିପରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ତାଙ୍କ ଭଉଣୀଙ୍କ ଘରୁ ଦୁଇଟି ଟ୍ରଙ୍କ୍ ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୭୦ ବିଡା ୫୦୦ ଟଙ୍କିଆ ନୋଟ୍ ଭିଜିଲାନ୍ସ ଜବତ କରିଛି। ଏହି ଘଟଣା ପରେ ଅଧିକ ତଦନ୍ତ ଚାଲିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଆହୁରି ଅନ୍ୟାନ୍ୟ ସଂପତ୍ତି ଓ ଟଙ୍କା ମିଳିପାରେ ବୋଲି ସନ୍ଦେହ କରାଯାଉଛି।

