ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶ ଓ ରାଜ୍ୟରେ ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲିୟମ୍ ସାମଗ୍ରୀର ଅଭାବ ଦେଖାଦେଇଛି । ଏହି ପରିସ୍ଥିତିକୁ ଅବଲମ୍ବନ କରି କେତେକ ଅସାଧୁ ବ୍ୟବସାୟୀ କଳାବଜାରୀ କରୁଥିବା ଅଭିଯୋଗ ମିଳିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ପରିପ୍ରେକ୍ଷିରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ପ୍ରଥମଥର ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ସହରର କିଛି ହୋଟେଲ ଓ ଘରେ ଚଢ଼ାଉ କରି ୨୯ଟି ଘରୋଇ ଓ ୯ଟି ବ୍ୟବସାୟିକ ଖାଲି ଗ୍ୟାସ୍ ସିଲିଣ୍ଡର୍ ଜବତ କରାଯାଇଛି ।ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କଠାରୁ ସିଲିଣ୍ଡର୍ ଜବତ କରାଯାଇଛି ସେମାନେ ଯଦି ଆବଶ୍ୟକ ପ୍ରମାଣପତ୍ର ଦେଖାଇପାରିବେ, ତେବେ ସେଗୁଡ଼ିକୁ ଫେରାଇ ଦିଆଯିବ ।ଏହା ସହିତ ସନ୍ତୋଷୀ ନଗର ଅଞ୍ଚଳରେ ଏକ ବନ୍ଦ କୋଠରୀରେ ଗ୍ୟାସ୍ ଥିବା ସନ୍ଦେହରେ ପ୍ରଶାସନ ତଦନ୍ତ କରିଥିଲା ।
ସ୍ଥାନରେ ଚାବି ପଡ଼ିଥିବା ଦେଖି କୋଠରୀକୁ ସିଲ୍ କରାଯାଇଛି । ପୋଲିସ ଉପସ୍ଥିତିରେ ପରବର୍ତ୍ତୀ ସମୟରେ କୋଠରୀ ଖୋଲି ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଗ୍ୟାସ୍ କଳାବଜାରୀ ଉପରେ ନିୟନ୍ତ୍ରଣ ଆଣିବା ସହ ସାଧାରଣ ଲୋକଙ୍କୁ ସହଜରେ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଯିବ ବୋଲି ଆଶା କରାଯାଉଛି ।

