ନ୍ୟୁଜ ଡେକ୍ସ : ଓଡ଼ିଶାର ପ୍ରସିଦ୍ଧ ମାଣିକପାଟଣା ଦହି ଏବେ ଜାତୀୟସ୍ତରରେ ପରିଚୟ ପାଇବାକୁ ଆଉ ଏକ ପଦକ୍ଷେପ ନେଇଛି। ଚଳିତ ମାସ ଶେଷ ସୁଦ୍ଧା ଏହି ପାରମ୍ପରିକ ଦହିକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ଟ୍ୟାଗ୍ ପାଇଁ ଆବେଦନ କରିବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ଏନେଇ ସମସ୍ତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ହୋଇସାରିଛି ଏବଂ ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ପଠାଯିବ ବୋଲି ଗବେଷକ ପ୍ରଫେସର ଦୟାନିଧି ମିଶ୍ର ସୂଚନା ଦେଇଛନ୍ତି।
ଗବେଷଣା ଅନୁଯାୟୀ, ମାଣିକପାଟଣା ଦହିର ଏକ ଦୀର୍ଘ ପାରମ୍ପରିକ ଇତିହାସ ରହିଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା, ବାଣପୁର ଆଦି ଅଞ୍ଚଳରେ ଥିବା ଦେଶୀ ମଇଁଷିଙ୍କ କ୍ଷୀରରୁ ଏହି ଦହି ପ୍ରସ୍ତୁତ ହୁଏ। ଏହାର ସ୍ୱାଦ ଓ ଗୁଣଗତ ମୂଲ୍ୟ ଅନ୍ୟ ସାଧାରଣ ଦହିଠାରୁ ବିଶେଷ ଥିବାରୁ ଏହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଏହି ଦହି ଜଡିତ ଥିବାରୁ ଏହାର ଐତିହ୍ୟ ଅଧିକ ଗଭୀର।ପ୍ରଚଳିତ କଥା ଅନୁସାରେ, କାଞ୍ଚି ଯୁଦ୍ଧ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ମାଣିକ ଗଉଡଣୀଙ୍କ ହାତରୁ ଏହି ଦହି ପାନ କରିଥିଲେ। ସେହିପରି ଏହି ଦହି ଧାର୍ମିକ ଓ ସାମ୍ପ୍ରଦାୟିକ ମହତ୍ତ୍ୱ ମଧ୍ୟ ରଖିଛି। ଚିଲିକା ମଇଁଷିଙ୍କ କ୍ଷୀରରେ ଓମେଗା-୩ ଫ୍ୟାଟି ଏସିଡ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ଥିବା ଗବେଷଣାରୁ ପ୍ରମାଣିତ ହୋଇଛି। ଏହି ମଇଁଷିମାନେ ଚିଲିକା କୂଳରେ ଲୁଣିପାଣିରେ ଉଠିଥିବା ଘାସ ଓ ଦଳ ଖାଇଥାନ୍ତି, ଯାହାର ପ୍ରଭାବ କ୍ଷୀରର ଗୁଣଗତ ମାନ ଉପରେ ପଡ଼େ।
ଏହି କାରଣରୁ ଏହି କ୍ଷୀର ଅଧିକ ବହଳିଆ ଓ ପୋଷ୍ଟିକ ହୋଇଥାଏ, ଯାହାରୁ ପ୍ରସ୍ତୁତ ଦହିର ସ୍ୱାଦ ଅଲଗା ହୁଏ।ଏହି ଦହି ପ୍ରସ୍ତୁତିର ପ୍ରଣାଳୀ ମଧ୍ୟ ଅଲଗା ଅଟେ। ବାଉଁଶିଆରେ ଏହାକୁ ତିଆରି କରାଯାଇଥାଏ ଏବଂ ସେହି ବାଉଁଶିଆରେ ଏହାକୁ ବଜାରରେ ବିକ୍ରି କରାଯାଏ। ଏହି ପାରମ୍ପରିକ ପ୍ରଣାଳୀ ଏହାର ବିଶେଷତାକୁ ଅଧିକ ଉନ୍ନତ କରିଥାଏ।ବର୍ତ୍ତମାନ ‘ସଂପର୍କ’ ନାମକ ଏକ ସାମାଜିକ ସଂଗଠନ ଏହି ଦହିକୁ ବିଭିନ୍ନ ମେଳା ଓ ମହୋତ୍ସବରେ ପ୍ରଚାର କରୁଛି ଏବଂ ବିକ୍ରି ମଧ୍ୟ କରୁଛି। ଗତ ପାଞ୍ଚ ମାସ ଧରି ଚାଲିଥିବା ଗବେଷଣାରେ ଏହି ଦହିର ଇତିହାସ, ଗୁଣବତ୍ତା ଓ ପ୍ରସ୍ତୁତି ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଇଛି।
ଜିଆଇ ଟ୍ୟାଗ୍ ମିଳିଲେ ଏହି ଦହିକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନୂତନ ପରିଚୟ ମିଳିବ ବୋଲି ଆଶା କରାଯାଉଛି।ଏହାସହ ସମ୍ବଲପୁରର ପ୍ରସିଦ୍ଧ ସରସତିଆ ଓ ଢେଙ୍କାନାଳର ପାଳବାଇଗଣକୁ ମଧ୍ୟ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବାକୁ ଯୋଜନା ହୋଇଛି। ଏହି ଉତ୍ପାଦଗୁଡ଼ିକ ଉପରେ ମଧ୍ୟ ଗବେଷଣା ଚାଲିଥିବା ବେଳେ ଖୁବଶୀଘ୍ର ଏହାର ରିପୋର୍ଟ ପ୍ରସ୍ତୁତ ହେବ।

