Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସମସ୍ତ ସହରାଞ୍ଚଳରେ ଶୀଘ୍ର PNG ସଂଯୋଗ ଯୋଗାଇ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ତୈଳ କମ୍ପାନୀମାନଙ୍କ ସହ ଆୟୋଜିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଥିବା ଜଣାପଡ଼ିଛି। ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ, ଯୋଗାଣ ସଚିବ ଓ ବିଭିନ୍ନ ତେଲ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ସୂଚନା ଅନୁସାରେ, ସହରାଞ୍ଚଳରେ ଆଗାମୀ ୩ ମାସ ମଧ୍ୟରେ PNG ସଂଯୋଗ ପ୍ରଦାନ କରାଯିବ।

ବଡ଼ ବଡ଼ ସହରରେ ପାଇପ୍ ମାଧ୍ୟମରେ ଘରେ ଘରେ ଗ୍ୟାସ୍ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଲାଗୁ ହେଲେ ଗ୍ୟାସ୍ ସିଲିଣ୍ଡର ଉପରେ ନିର୍ଭରଶୀଳତା କମିବା ସହ ସୁବିଧାଜନକ ଓ ସୁରକ୍ଷିତ ବ୍ୟବସ୍ଥା ଉପଲବ୍ଧ ହେବ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ PNG ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଆସନ୍ତା ମାସ ମଧ୍ୟରେ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ସହର ଅଞ୍ଚଳରେ ଲାଗୁ ହେବ। ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ଲୋକମାନେ ମଧ୍ୟ PNG ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ବ୍ୟବସ୍ଥା ଆସିଲେ ଘରୋଇ ଗ୍ୟାସ୍ ବ୍ୟବହାରରେ ବଡ଼ ପରିବର୍ତ୍ତନ ଆସିବା ସହ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ଆହୁରି ସୁଚାରୁ ହେବ। ସହର ଅଞ୍ଚଳରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ପହଞ୍ଚିବା ଫଳରେ ସିଲିଣ୍ଡର ବୁକିଂ ଓ ବିତରଣର ଜଞ୍ଜାଟ ହ୍ରାସ ପାଇବ।ଅନ୍ୟପଟେ ଗ୍ରାମାଞ୍ଚଳରେ ପୂର୍ବପରି LPG ସିଲିଣ୍ଡର ଯୋଗାଣ ଜାରି ରହିବ।

ଗ୍ରାମ ଅଞ୍ଚଳର ଲୋକମାନଙ୍କୁ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।ଗ୍ୟାସ୍ କଳାବଜାରୀକୁ ରୋକିବା ପାଇଁ e-KYC ବ୍ୟବସ୍ଥା ଆରମ୍ଭ କରାଯିବ। e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ କେହି ଅନ୍ୟ ଜଣଙ୍କ ନାଁରେ ଗ୍ୟାସ୍ ନେଇପାରିବେନି, ଯାହା ଦୁର୍ନୀତିକୁ ରୋକିବାରେ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ।ସରକାରଙ୍କ ଏହି ନୂତନ ପଦକ୍ଷେପ ଗ୍ୟାସ୍ ବିତରଣ ବ୍ୟବସ୍ଥାକୁ ଆଧୁନିକ କରିବା ସହ ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇବାରେ ମୁଖ୍ୟ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *