Thu. Apr 16th, 2026

ନ୍ୟୁଜ ଡେକ୍ସ : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦଳ ସଭାପତି ନବୀନ ପଟ୍ଟନାୟକ ଅକ୍ଟୋବର ଓ ନଭେମ୍ବର ମାସରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏନେଇ ବିଧାୟକମାନଙ୍କ ସହ ସେ ଆଲୋଚନା କରିଥିବା ଖବର ମିଳିଛି।ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କହିଛନ୍ତି ଯେ, ସାଧାରଣ ନିର୍ବାଚନ ସମୟରେ ଦଳରୁ ଦୂରେଇଯାଇଥିବା ଲୋକମାନଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି।

ଆସନ୍ତା ନିର୍ବାଚନରେ ବିଜେଡି କିପରି ସୁଦୃଢ ଭାବରେ ଲଢ଼ିବ, ସେନେଇ ଏବେଠାରୁ ଯୋଜନା ଆରମ୍ଭ ହୋଇଛି।ଦଳୀୟ ବିଧାୟକଙ୍କ ସହିତ ହାରିଥିବା ନେତାମାନେ ମଧ୍ୟ ତଳସ୍ତରରେ କାମ ଆରମ୍ଭ କରିଛନ୍ତି। ପଞ୍ଚାୟତ ସ୍ତରରେ ଯେଉଁମାନେ ଦୁର୍ନୀତିରେ ଜଡିତ ଓ ଲୋଭ ଲାଭରେ ଲିପ୍ତ ଅଛନ୍ତି, ସେମାନେ ଦଳ ଛାଡୁଥିବା କୁହାଯାଉଛି। ତେବେ ଏମିତି ଲୋକମାନଙ୍କ ଦଳ ଛାଡିବାରେ ବିଜେଡି ଉପରେ କୌଣସି ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ଦଳ ମନେ କରୁଛି।

ଯେଉଁମାନେ ସତ୍ୟନିଷ୍ଠାର ସହିତ ଲୋକଙ୍କ ପାଇଁ କାମ କରୁଛନ୍ତି, ସେମାନେ ଦଳ ସହିତ ଅଟୁଟ ଭାବରେ ଜଡିତ ଅଛନ୍ତି ବୋଲି ଦଳୀୟ ନେତାମାନେ କହିଛନ୍ତି।ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ବିଜେଡି ତଳସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଉଛି।

Leave a Reply

Your email address will not be published. Required fields are marked *