ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ତାହାର ପ୍ରଭାବ ଦୂରବର୍ତ୍ତୀ ନେପାଳ ଉପରେ କିପରି ପଡ଼ିଛି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ହଠାତ୍ ସରକାର ସପ୍ତାହକୁ ଦୁଇ ଦିନ ସରକାରୀ ଛୁଟି ଘୋଷଣା କରିବା ସହ ଦେଶରେ ଅନେକ ପ୍ରଶ୍ନ ଉଠିଛି।ଏପର୍ଯ୍ୟନ୍ତ କେବଳ ଶନିବାର ଛୁଟି ଥିଲେ ମଧ୍ୟ, ଏବେ ରବିବାରକୁ ମଧ୍ୟ ଯୋଡ଼ାଯାଇଛି। ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଦୁଇ ଦିନ ବନ୍ଦ ରହିବ।
କିନ୍ତୁ ଏହି ନିଷ୍ପତ୍ତି ପଛରେ କେବଳ ଇନ୍ଧନ ସଂକଟ ନା ଅନ୍ୟ କୌଣସି ଗୁପ୍ତ କାରଣ ରହିଛି, ସେନେଇ ଆଲୋଚନା ଜୋରଦାର ହେଉଛି।ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ଏହି ପଦକ୍ଷେପ ନିଆଯାଇଛି। କିନ୍ତୁ ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି।ଏହା ସହିତ ସରକାରୀ କାର୍ଯ୍ୟ ସମୟକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଫିସ ଚାଲିବ, ଯାହା ପୂର୍ବରୁ ୧୦ଟାରୁ ଆରମ୍ଭ ହୁଏଥିଲା।
ସରକାରୀ ମୁଖପାତ୍ର ସସ୍ମିତା ପୋଖରେଲ ଜଣାଇଛନ୍ତି ଯେ, ସୋମବାରଠାରୁ ଏହା ଲାଗୁ ହେବ। ଅନ୍ୟପଟେ, ନେପାଳ ଏୟାରଲାଇନ୍ସ ପକ୍ଷରୁ ବିମାନ ଭଡା ବୃଦ୍ଧି ହେବା ଘୋଷଣା ପରେ ଲୋକମାନଙ୍କ ଚିନ୍ତା ଆଉ ବଢ଼ିଛି। ଇନ୍ଧନ ଦର ବଢ଼ିବା ଆଗାମୀ ଦିନରେ ଆଉ କେତେ ପରିବର୍ତ୍ତନ ଆଣିବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଏବେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

