Fri. Apr 17th, 2026

ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହିତ ଆମ ସାଥୀ ଚାଟ୍ ବଟ୍‌ର ଉପଯୋଗିତା ଏବଂ ତାହାର କ୍ଷମତା ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ମନ୍ତ୍ରୀ ସୁରେଶ ପୂଜାରୀ ହ୍ୱାଟସଆପ୍‌ ମାଧ୍ୟମରେ ଉପଲବ୍ଧ ଥିବା ଆମ ସାଥୀ ଚାଟ୍ ବଟ୍‌କୁ ଆହୁରି ସହଜ, ସୁବିଧାଜନକ ଓ ଲୋକାଭିମୁଖୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ଲୋକେ କିପରି ସହଜରେ ନିଜ ସମସ୍ୟା ପ୍ରଶାସନ ପାଖରେ ଉଠାଇ ପାରିବେ ଏବଂ ତ୍ୱରିତ ସମାଧାନ ପାଇପାରିବେ, ସେଥିପାଇଁ ଚାଟ୍ ବଟ୍‌ର କାର୍ଯ୍ୟକ୍ଷମତାକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଥିଲା ।ଚାଟ୍ ବଟ୍‌ ମାଧ୍ୟମରେ ଜନସାଧାରଣ ନିଜର ଅଭିଯୋଗ କିମ୍ବା ସମସ୍ୟା ସହଜରେ ଦାଖଲ କରିପାରିବେ । ଏହା ପରେ ସମ୍ପର୍କିତ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ତାହାକୁ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନେବେ । ସମଗ୍ର ପ୍ରକ୍ରିୟାକୁ ରାଜସ୍ୱ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିରୀକ୍ଷଣରେ ରଖାଯିବ ବୋଲି ଜଣାପଡ଼ିଛି ।

ଏହି ପଦକ୍ଷେପକୁ ସୁଚାରୁ ଭାବେ କାର୍ଯ୍ୟରତ କରିବା ପାଇଁ ରାଜସ୍ୱ ବିଭାଗରେ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତ କରାଯିବ । ଅଭିଯୋଗ ଗ୍ରହଣ ପରେ ତ୍ୱରିତ ସମାଧାନ ସୁନିଶ୍ଚିତ କରାଯିବା ସହ ସମାଧାନ ପରେ ଜନସାଧାରଣଙ୍କ ମତାମତ ମଧ୍ୟ ସଂଗ୍ରହ କରାଯିବ ।ଏହାସହ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ ROTI ରେ ପ୍ରଶିକ୍ଷଣ ନେଉଥିବା ନୂତନ OAS ଓ ORS ଅଧିକାରୀଙ୍କୁ ଏହି ଚାଟ୍ ବଟ୍‌ ମାଧ୍ୟମରେ ସେବା ପ୍ରଦାନ ଓ ଅଭିଯୋଗ ନିରାକରଣ ସମ୍ପର୍କିତ ତାଲିମ୍ ଦିଆଯିବ ।

ଆଗାମୀ ଦିନରେ ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କୁ ଆଭାସୀ ମାଧ୍ୟମରେ ପ୍ରଶିକ୍ଷଣ ଦେଇ ପ୍ରଶାସନର କ୍ଷମତା ବୃଦ୍ଧି କରାଯିବାକୁ ଯୋଜନା ରହିଛି ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢୀ କହିଛନ୍ତି ଯେ, ଜନସାଧାରଣଙ୍କ ପାଇଁ ରାଜସ୍ୱ ସେବାକୁ ସହଜ ଓ ପ୍ରାପ୍ୟ କରାଯିବା ପାଇଁ ବିଭାଗ ପ୍ରତିବଦ୍ଧ । ବୈଠକରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *