ନ୍ୟୁଜ ଡେକ୍ସ : ରାଜ୍ୟରେ ଘରୋଇ ସ୍କୁଲମାନେ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକମାନଙ୍କୁ ଅର୍ଥନୈତିକ ଭାବେ ଶୋଷଣ କରୁଥିବା ଅଭିଯୋଗକୁ ସରକାର ଗୁରୁତର ସହ ନେଇଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘରୋଇ ସ୍କୁଲମାନଙ୍କୁ କଡ଼ା ଚେତାବନୀ ଜାରି କରିଛନ୍ତି ।ମନ୍ତ୍ରୀଙ୍କ କହିବା ଅନୁସାରେ, ଅନେକ ଘରୋଇ ସ୍କୁଲ୍ ଭିନ୍ନ ଭିନ୍ନ ପବ୍ଲିକେସନ୍ର ବହି ପଢ଼ାଇ ଅଭିଭାବକଙ୍କୁ ବାଧ୍ୟ କରୁଛନ୍ତି ସେହି ବହି କିଣିବାକୁ ।
ଏହା ଫଳରେ ଅଭିଭାବକମାନେ ଅତିରିକ୍ତ ଅର୍ଥଭାର ବୋହିବାକୁ ବାଧ୍ୟ ହେଉଛନ୍ତି । ଏହି ପ୍ରକାର ଅନିୟମିତତାକୁ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ଚାଲିଛି ।ସରକାର ସ୍ପଷ୍ଟ କରିଛନ୍ତି ଯେ, ଏପରି ମନମାନୀ କରୁଥିବା ସ୍କୁଲମାନଙ୍କ ବିରୋଧରେ ଅଭିଯୋଗ ମିଳିଲେ ତତ୍କ୍ଷଣାତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତ ଘରୋଇ ସ୍କୁଲକୁ ସରକାରୀ ନିୟମ ମାନିବା ଆବଶ୍ୟକ ବୋଲି ମନ୍ତ୍ରୀ ଜୋର ଦେଇ କହିଛନ୍ତି ।ଏହା ସହିତ ଏହି ପ୍ରଥା ଜାତୀୟ ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ ହେଉଛି ବୋଲି ସରକାର ମତ ପ୍ରକାଶ କରିଛନ୍ତି । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ NCERT ବହି ପଢ଼ିବାକୁ ପଡ଼ିବ ଏବଂ ସେହି ବହି ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଦରକାର ।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଆଗାମୀ ଦିନରେ ଘରୋଇ ସ୍କୁଲଗୁଡ଼ିକରେ NCERT ବହି ପଢ଼ାଯିବାକୁ ବାଧ୍ୟତାମୂଳକ କରାଯିବ । ଏହା ଦ୍ୱାରା ଶିକ୍ଷାରେ ସମାନତା ଆସିବା ସହ ଅଭିଭାବକଙ୍କ ଉପରେ ଅତିରିକ୍ତ ଅର୍ଥଭାର କମିବ ବୋଲି ସେ ଉଲ୍ଲେଖ କରିଛନ୍ତି ।ସରକାରଙ୍କ ଏହି କଡ଼ା ରୁଖ ପରେ ଘରୋଇ ସ୍କୁଲମାନେ ନିୟମ ପାଳନ କରିବେ ବୋଲି ଆଶା କରାଯାଉଛି ଏବଂ ଏହା ଦ୍ୱାରା ଶିକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ଓ ନ୍ୟାୟସଙ୍ଗତ ପଦ୍ଧତି ସୁନିଶ୍ଚିତ ହେବ ।

