ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଆସାମରେ ଯାଇ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ପକ୍ଷରେ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି । ସେ ସୋନାରି ଓ ମାରିଆନି ନିର୍ବାଚନ ମଣ୍ଡଳୀରେ ସଭା କରି ଦଳ ପାଇଁ ସମର୍ଥନ ଆହ୍ୱାନ କରିଥିଲେ ।ଏହି ଅବସରରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ହେଉଛି ।
ଗରିବ କଲ୍ୟାଣ ଓ ଆଧାରଭୂତ ବିକାଶ କ୍ଷେତ୍ରରେ ବିଜେପି ସରକାର ଉଲ୍ଲେଖନୀୟ କାମ କରିଛି ।ଶ୍ରୀ ମାଝୀ ଆହୁରି କହିଥିଲେ ଯେ, ୨୦୨୪ ନିର୍ବାଚନ ସମୟରେ ହିମନ୍ତ ବିଶ୍ବ ଶର୍ମା ଓଡ଼ିଶାରେ ଆସି ବିଜେପି ପକ୍ଷରେ ପ୍ରଚାର କରିଥିଲେ ଏବଂ ଦଳକୁ ସମର୍ଥନ ଦେଇଥିଲେ । ସେହି ସମର୍ଥନକୁ ମନେରଖି ଏଥର ଆସାମରେ ବିଜେପିକୁ ଜିତାଇବା ପାଇଁ ସେ ପ୍ରଚାର କରିବାକୁ ଆସିଛନ୍ତି ।
ସେ କହିଛନ୍ତି ଯେ, ଆସାମରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ଦିନକୁ ଦିନ ବଢ଼ୁଛି ଏବଂ ଏଥର ମଧ୍ୟ ରାଜ୍ୟରେ ପୁଣି ଥରେ ଡବଲ ଇଞ୍ଜିନ୍ ସରକାର ଗଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମ ଆସାମର ରାଜନୀତିକ ପରିବେଶକୁ ଆହୁରି ଗରମ କରିଦେଇଛି ।

