Fri. Apr 17th, 2026

ନ୍ୟୁଜ ଡେକ୍ସ : ବୈଶାଖ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ମହାପ୍ରଭୁଙ୍କ ଗୁପ୍ତନୀତି ହୋଇଥିବାରୁ ନୀତି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।ଶ୍ରୀମନ୍ଦିର ସ୍ବତ୍ୱ ଲିପି ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପଇତା ଲାଗି ନୀତି ଆରମ୍ଭ ହେବ ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପଇତା ଲାଗିବା ଏକ ପବିତ୍ର ପରମ୍ପରା ଯାହାକୁ ଦଇତାପତି ସେବକମାନେ ସମ୍ପାଦନ କରିଥାନ୍ତି ।ଏହି ନୀତି ସମୟରେ ମନ୍ଦିର ଭିତରେ ଗୁପ୍ତ ଭାବେ ବିଧିବତ ଆଚାର ବିଧି ପାଳନ କରାଯାଏ, ଯାହାର ଦର୍ଶନ ସାଧାରଣ ଭକ୍ତମାନଙ୍କ ପାଇଁ ଉପଲବ୍ଧ ହୁଏନାହିଁ । ଏହି ପରମ୍ପରା ଶ୍ରୀମନ୍ଦିରର ନିୟମ ଓ ଆଚାର-ବିଚାରର ଏକ ଅବିଭାଜ୍ୟ ଅଂଶ ଅଟେ ।ନୀତି ପାଳନ ନିମନ୍ତେ ସୋମବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଏନେଇ ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ଭକ୍ତମାନଙ୍କୁ ନୀତି ସମୟରେ ମନ୍ଦିର ପ୍ରଶାସନଙ୍କ ନିୟମ ମାନିବାକୁ ଅନୁରୋଧ କରାଯାଇଛି । ପଇତା ଲାଗି ନୀତି ଶେଷ ପରେ ପୁନର୍ବାର ସାଧାରଣ ଦର୍ଶନ ବ୍ୟବସ୍ଥା ପୂର୍ବବତ୍ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *