Fri. Apr 17th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ସଡ଼କ ଯୋଗାଯୋଗକୁ ଆହୁରି ସୁଦୃଢ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ପାଇଁ ଖୁସି ଖବର ଆସିଛି। କୁରୁମପୁରୀରୁ ରାଜଖରିଆର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ସରକାର ୪୪୭.୧୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ ଅଧୀନରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ଯାଇଥିବା NH-353 ଏବଂ NH-59 ର ମୋଟ ୧୦୩.୫୨ କିଲୋମିଟର ରାସ୍ତାର ସୁଧାର କାମ କରାଯିବ। ଏହି ରାସ୍ତା ଛତିଶଗଡ଼ର ରାୟପୁର ଓ ମହାସମୁନ୍ଦ ଅଞ୍ଚଳକୁ ଓଡ଼ିଶାର ବ୍ରହ୍ମପୁର ଏବଂ ଗୋପାଳପୁର ବନ୍ଦର ସହିତ ସିଧାସଳଖ ଯୋଡ଼ିବ।ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଏବଂ ଗଞ୍ଜାମ ସହିତ ମୋଟ ୫ଟି ଜିଲ୍ଲା ଲାଭାନ୍ବିତ ହେବ।

ଯାତ୍ରୀ ଓ ମାଲବାହୀ ଯାନ ଚଳାଚଳ ଅଧିକ ସୁବିଧାଜନକ ଏବଂ ଦ୍ରୁତ ହେବା ସହ ସମୟ ମଧ୍ୟ ବଞ୍ଚିବ।ରାସ୍ତାରେ ଥିବା ବିପଦଜନକ ସ୍ଥାନଗୁଡ଼ିକୁ ସଂଶୋଧନ କରାଯିବ ଏବଂ ପକ୍କା କଡ଼ ନିର୍ମାଣ ହେବ। ଏହା ବିଶେଷକରି ବାଇକ୍ ଚାଳକମାନଙ୍କ ପାଇଁ ଯାତ୍ରାକୁ ଅଧିକ ସୁରକ୍ଷିତ କରିବ। ଏହି ପ୍ରକଳ୍ପ ସମାପ୍ତ ହେଲେ ଦାରିଙ୍ଗବାଡ଼ି ଓ ସୁନାବେଡ଼ା ଅଭୟାରଣ୍ୟ ପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଯାତାୟାତ ସହଜ ହେବ। ଏହା ଦ୍ୱାରା ସ୍ଥାନୀୟ ବ୍ୟବସାୟ ଓ ଅର୍ଥନୀତିକୁ ମଧ୍ୟ ବଡ଼ ଉତ୍ସାହ ମିଳିବ।

Leave a Reply

Your email address will not be published. Required fields are marked *