ନ୍ୟୁଜ ଡେକ୍ସ : କଟକ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା କଢ଼ା ଅଭିଯାନରେ ବଡ଼ ସଫଳତା ମିଳିଛି। ସଦର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢଉ କରି ମୋଟ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଥିବା ସହ ୩୧ କିଲୋ ଗଞ୍ଜେଇ ଏବଂ ଦୁଇଟି କାର ଜବତ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ସଦର ଥାନା ଅନ୍ତର୍ଗତ କାଜିପାଟଣା ନିକଟ କୁଆଖାଇ ବ୍ରିଜ ପାଖରେ ଛକି ରହିଥିଲା। ଏହି ସମୟରେ ଏକ ମାରୁତି ଏର୍ଟିଗା କାର ଆସିବା ପରେ ତାକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କାରରୁ ୧୫ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାରେ କନ୍ଧମାଳ ଖଜୁରିପଡା ଅଞ୍ଚଳର ନରେଶ ଗଣ୍ଡକୁ ଗିରଫ କରାଯାଇଛି।
ସେହିପରି ଆଉ ଗୋଟିଏ ଅଭିଯାନରେ କଟକ ଅବକାରୀ ଗ୍ରାମାଞ୍ଚଳ ଥାନା ପୋଲିସ ପ୍ରତାପନଗରୀ ଛକ ନିକଟରେ ଛକି ରହିଥିଲା। ଏକ ସନ୍ଦିଗ୍ଧ ସ୍ୱିଫ୍ଟ ଡିଜାୟାର କାରକୁ ଅଟକାଇ ଯାଞ୍ଚ କରିବାରୁ ୧୬ କିଲୋ ଗଞ୍ଜେଇ ମିଳିଥିଲା। ଏହି ମାମଲାରେ ମିଥୁନ ବେହେରା ଓ ସୁକାନ୍ତ ମହାନ୍ତିଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇ ସହ ଦୁଇଟି କାରକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ଏହି ଘଟଣା ଅଞ୍ଚଳରେ ନିଶା ବ୍ୟବସାୟ ବିରୋଧରେ ପୋଲିସର କଢ଼ା ଅଭିଯାନକୁ ଆଉ ମଜବୁତ କରିଛି।

