ନ୍ୟୁଜ ଡେକ୍ସ : ରାଜ୍ୟର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏବେଠାରୁ e-KYC ବିନା ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ପାଇବା ସମ୍ଭବ ହେବ ନାହିଁ । ଏହାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ, ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ମନ୍ତ୍ରୀଙ୍କ କହିବା ଅନୁସାରେ, ଅନେକ ସମୟରେ ଘରୋଇ LPG ସିଲିଣ୍ଡରକୁ ବାହାରେ ଚୋରା ଦରରେ ବ୍ୟବସାୟିକ କାମରେ ବ୍ୟବହାର କରାଯାଉଛି ।
ଏହା ଫଳରେ ସରକାରଙ୍କ ସବସିଡି ଯୋଜନାର ଲାଭ ପ୍ରକୃତ ଗ୍ରାହକଙ୍କ ପାଖରେ ପହଞ୍ଚୁନାହିଁ । e-KYC ପ୍ରଣାଳୀ ଲାଗୁ ହେବା ପରେ ଏହି ଅନିୟମିତତା ଉପରେ ନିୟନ୍ତ୍ରଣ ଆସିବ ବୋଲି ଆଶା କରାଯାଉଛି ।ଏହି ପଦକ୍ଷେପ ଦ୍ୱାରା ଜଣେ ବ୍ୟକ୍ତିଙ୍କ ନାମରେ ଅଧିକ ଗ୍ୟାସ କନେକ୍ସନ ରହିଥିଲେ ସେଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଚାଲୁଥିବା ସଂଯୋଗଗୁଡ଼ିକୁ ବନ୍ଦ କରାଯିବ । ଏଥିରେ ପ୍ରକୃତ ଯୋଗ୍ୟ ଲାଭକାରୀଙ୍କୁ ସୁବିଧା ପହଞ୍ଚିବା ସୁନିଶ୍ଚିତ ହେବ । ଏହା ସହିତ ବଜାରରେ ଖୋଲାଖୋଲି ଭାବରେ ବିକ୍ରି ହେଉଥିବା ୧ କେଜି ଓ ୫ କେଜି LPG ସିଲିଣ୍ଡର ଉପରେ ସରକାର ପକ୍ଷରୁ କଡ଼ା କଟକଣା ଲଗାଯାଇଛି ।
କଳାବଜାରୀ କରୁଥିବା ବ୍ୟବସାୟୀମାନଙ୍କ ବିରୋଧରେ ରାଜ୍ୟବ୍ୟାପୀ ଚଢ଼ାଉ ଚାଲିଥିବା ବେଳେ, ଅସାଧୁ ଚକ୍ରକୁ ଧରିବା ପାଇଁ ବିଶେଷ ଦଳ ଗଠନ କରାଯାଇଛି ।ଗ୍ରାହକମାନେ ନିଜର e-KYC ପ୍ରକ୍ରିୟାକୁ ସହଜ ଉପାୟରେ ସମାପ୍ତ କରିପାରିବେ । ପ୍ରଥମେ, ସେମାନେ ନିଜର LPG ବିତରକଙ୍କ ଶୋରୁମ୍କୁ ଯାଇ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ସହ ବାୟୋମେଟ୍ରିକ୍ ଯାଞ୍ଚ ମାଧ୍ୟମରେ e-KYC କରିପାରିବେ । ଦ୍ୱିତୀୟତଃ, www.mylpg.in ୱେବସାଇଟକୁ ଯାଇ ନିଜର ଗ୍ୟାସ କମ୍ପାନୀ ବାଛି ଅନଲାଇନ୍ରେ ଏହାକୁ ସମ୍ପନ୍ନ କରିପାରିବେ । ତୃତୀୟ ଉପାୟ ଭାବେ, ଗ୍ୟାସ କମ୍ପାନୀମାନଙ୍କ ଅଫିସିଆଲ୍ ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ସହଜରେ e-KYC କରିପାରିବେ ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ଗ୍ରାହକମାନେ e-KYC ପ୍ରକ୍ରିୟା ଶେଷ କରିନଥିବେ, ତେବେ ଆଗାମୀଦିନରେ ସିଲିଣ୍ଡର ବୁକିଂ କରିବାରେ ସମସ୍ୟା ସୃଷ୍ଟି ହେବା ସହିତ ସବସିଡି ମଧ୍ୟ ବନ୍ଦ ହୋଇପାରେ ।ଏହି ପଦକ୍ଷେପ ଦ୍ୱାରା ସରକାରର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ପରିବାର ପାଖରେ ସ୍ୱଚ୍ଛ ଓ ସଠିକ୍ ଭାବରେ ରନ୍ଧନ ଗ୍ୟାସ ପହଞ୍ଚାଇବା ସହିତ ଅବୈଧ ବ୍ୟବସାୟ ଓ କଳାବଜାରୀକୁ ସମୂଳେ ଦମନ କରିବା ।

