ନ୍ୟୁଜ ଡେକ୍ସ : ସୋର ଥାନା ଅଞ୍ଚଳ ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ସ୍ଥିତ ଏକ ହୋଟେଲ ସମ୍ମୁଖରେ ଆଜି ପ୍ରଭାତରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା । ସୂଚନାନୁସାରେ, ରାସ୍ତା କଡରେ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ ଭୟଙ୍କର ଭାବେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଦ୍ୱିତୀୟ ଟ୍ରକର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାବେ ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯାଇଥିଲା ।
ଏହି ଦୁର୍ଘଟଣାରେ ଟ୍ରକରେ ଥିବା ୩ ଜଣ ବ୍ୟକ୍ତି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅଭିଯାନ ଆରମ୍ଭ କରିଥିଲେ । ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିବା ପରେ ଚାପି ହୋଇଥିବା ତିନିଜଣଙ୍କୁ ବାହାର କରାଯାଇଥିଲା ।ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ସୋର ମେଡିକାଲକୁ ପଠାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଡ଼ିଦେଇଛି ।
ଏପରିକରେ, ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ଅବହେଳାପୂର୍ଣ୍ଣ ଚାଳନା ଓ ରାସ୍ତା ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥାର ଅଭାବ ଏହି ଦୁର୍ଘଟଣାର ମୂଳ କାରଣ ହୋଇପାରେ ।ଏହି ଦୁର୍ଘଟଣା ପୁନର୍ବାର ସଡ଼କ ସୁରକ୍ଷା ପ୍ରତି ଅବହେଳାକୁ ଉଜାଗର କରିଥିବା ବେଳେ, ଚାଳକମାନଙ୍କୁ ସତର୍କତା ଅବଳମ୍ବନ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆହ୍ୱାନ ଜାରି ହୋଇଛି ।

