Fri. Apr 17th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ୫ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ବିକ୍ରି ସମ୍ପର୍କରେ ନୂଆ ସ୍ପଷ୍ଟୀକରଣ ଜାରି କରାଯାଇଛି। ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରମିକ ଓ ଛାତ୍ରଛାତ୍ରୀମାନେ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ୍ ସିଲିଣ୍ଡର କିଣିପାରିବେ ଏବଂ ସେମାନଙ୍କ ପାଇଁ କୌଣସି କଟକଣା ଲାଗୁ ହେବନି।ସେହିପରି ଇ-କେୱାଇସି ମାଧ୍ୟମରେ ବିକ୍ରି ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ମଧ୍ୟ କୌଣସି ନିଷେଧ ନାହିଁ।

ତୈଳ ମାର୍କେଟିଂ କମ୍ପାନୀ ମାଧ୍ୟମରେ ଏହି ସିଲିଣ୍ଡର ସହଜରେ ଉପଲବ୍ଧ ହେବ ବୋଲି ବିଭାଗ ଜଣାଇଛି। ତେବେ ୫ କେଜି ଗ୍ୟାସ୍‌ର ଅବୈଧ ବିକ୍ରି ଉପରେ କଡ଼ା କଟକଣା ଲାଗୁ କରାଯାଇଛି।ଏହାସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂର୍ବରୁ କହିଥିଲେ ଯେ, ଏବେ ଆଉ ଖୋଲା ବଜାରରେ ୫ କେଜି ଗ୍ୟାସ୍ ଟାଙ୍କି ବିକ୍ରି ହେବ ନାହିଁ। ଖୋଲାରେ ଗ୍ୟାସ୍ ବିକ୍ରି ହେବାରୁ କଳାବଜାର ବଢ଼ୁଥିବାରୁ ସରକାର ଏହି କଡ଼ା ପଦକ୍ଷେପ ନେଇଛନ୍ତି। ଏବେ କେବଳ ଏଜେନ୍ସି ଓ ଲାଇସେନ୍ସପ୍ରାପ୍ତ ଦୋକାନୀମାନେ ଗ୍ୟାସ୍ ବିକ୍ରି କରିପାରିବେ।ଅନ୍ୟପଟେ, ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଇ-କେୱାଇସି କରାଇବାକୁ ବାଧ୍ୟତାମୂଳକ କରାଯାଇଛି।

ଇ-କେୱାଇସି ଥିଲେ ମାତ୍ର ଗ୍ୟାସ୍ ସିଲିଣ୍ଡର ମିଳିବ, ନଚେତ୍‌ ବିତରଣ ହେବ ନାହିଁ। ଏନେଇ ସମସ୍ତ ଏଜେନ୍ସିକୁ ନିର୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ଚୋରା ଭାବେ ଗ୍ୟାସ୍ ବିକ୍ରି ଉପରେ ଅଙ୍କୁଶ ଲାଗିବା ସହ ନକଲି ସଂଯୋଗ ଚିହ୍ନଟ କରିବାରେ ସହାୟତା ମିଳିବ। ଏହା ସହିତ ଜଣେ ବ୍ୟକ୍ତିଙ୍କ ନାମରେ ଅନେକ ସଂଯୋଗ ଓ ମୃତ ବ୍ୟକ୍ତିଙ୍କ ନାମରେ ଥିବା ସଂଯୋଗକୁ ବନ୍ଦ କରିବା ମଧ୍ୟ ସମ୍ଭବ ହେବ। ସରକାର କହିଛନ୍ତି ଯେ, ଯୋଗ୍ୟ ଉପଭୋକ୍ତାମାନେ ମାତ୍ର ରିଆତି ପାଇବେ ବୋଲି ଏହି ବ୍ୟବସ୍ଥା ଆଣାଯାଇଛି।

Leave a Reply

Your email address will not be published. Required fields are marked *