ନ୍ୟୁଜ ଡେକ୍ସ : ରାଜ୍ୟରେ ସଡ଼କ ସୁରକ୍ଷା ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା ଜାରି କରାଯାଇଛି।୨୦୨୩ ଜୁଲାଇ ୧୯ ତାରିଖରେ ହୋଇଥିବା ବୈଠକର ନିଷ୍ପତ୍ତିକୁ ଏବେ କଡ଼ାକଡ଼ି ଲାଗୁ କରିବାକୁ ସମସ୍ତ RTO ଓ ARTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ଅନୁସାରେ ଅନ୍ୟ ରାଜ୍ୟରେ ପଞ୍ଜିକୃତ ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଯାନ ଓଡ଼ିଶାରେ ପ୍ରବେଶ ଓ ଚଳାଚଳ କରିପାରିବ ନାହିଁ।ଏହା ସହ ଏପରି ଗାଡ଼ିଗୁଡ଼ିକୁ ଓଡ଼ିଶାରେ ନୂତନ ପରମିଟ୍ ଦେବା, ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପରିବହନ କର ଗ୍ରହଣ କରିବାକୁ ମଧ୍ୟ ପୂରାପୂରି ନିଷେଧ କରାଯାଇଛି। ବିଶେଷକରି ପୁରୁଣା ବାଣିଜ୍ୟିକ ଯାତ୍ରୀବାହୀ ଗାଡ଼ି ଯଥା ବସ୍ ଇତ୍ୟାଦିର ମାଲିକାନା ପରିବର୍ତ୍ତନ ଉପରେ ମଧ୍ୟ ରୋକ୍ ଲଗାଯାଇଛି।ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି।
ଯାତ୍ରୀମାନଙ୍କ ସୁରକ୍ଷା ଓ ଖରାପ ମାନର ଗାଡ଼ି ରାଜ୍ୟକୁ ପ୍ରବେଶ କରିବାକୁ ବାରଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତଥାପି ପୂର୍ବରୁ ଅନୁମତି ନେଇଥିବା ଗାଡ଼ି ଓ ଇଣ୍ଟର-ଷ୍ଟେଟ୍ ପରମିଟ୍ ଥିବା ଯାନଗୁଡ଼ିକ ପାଇଁ କୌଣସି ବାଧା ନଥିବା ସ୍ପଷ୍ଟ କରାଯାଇଛି।ଏହି ନିଷ୍ପତ୍ତି ଦ୍ୱାରା ସଡ଼କରେ ଅନୁପଯୁକ୍ତ ଓ ପୁରୁଣା ଗାଡ଼ି ହ୍ରାସ ପାଇବା ସହ ପ୍ରଦୂଷଣ କମିବ ଏବଂ ସଡ଼କ ସୁରକ୍ଷା ମାନଦଣ୍ଡ ଉନ୍ନତ ହେବ ବୋଲି ବିଭାଗ ଆଶା ବ୍ୟକ୍ତ କରିଛି।

