Sat. Apr 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଶିକ୍ଷା କ୍ଷେତ୍ରରେ ଆଉ ଏକ ନୂଆ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପିଏମ୍‌ଶ୍ରୀ ସ୍କୁଲଗୁଡ଼ିକରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବାକୁ ଯୋଜନା ହୋଇଛି।ଏହି ପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର ଓ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ କମିଶନର ତଥା ପ୍ରମୁଖ ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକଙ୍କ ଉପସ୍ଥିତିରେ ପିଏସଏସଏସ ପକ୍ଷରୁ ଅନନ୍ୟା ଦାସ ଓ ଏନସିଏଫ୍‌ଇ ପକ୍ଷରୁ ଆଲୋକ ଚନ୍ଦ୍ର ଜେନା ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ।ଏହି ଚୁକ୍ତି ଅନୁସାରେ ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟ ରଖି ରାଜ୍ୟର ୩୦ଟି ଜିଲ୍ଲାର ୭୩୬ଟି ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ପ୍ରଚଳନ କରାଯିବ। ଏହାର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା।

ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନେ ଟଙ୍କା ପରିଚାଳନା, ସଞ୍ଚୟ, ବଜେଟ୍, ବ୍ୟାଙ୍କିଂ, ନିବେଶ, ଟିକସ ଓ ଆର୍ଥିକ ଦାୟିତ୍ୱ ବିଷୟରେ ପ୍ରାଥମିକ ସ୍ତରରୁ ଜ୍ଞାନ ଆହରଣ କରିବେ। ଏହା ସେମାନଙ୍କୁ ଭବିଷ୍ୟତରେ ସଚେତନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବ।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯିବ। ଏହା ସହ ଚିହ୍ନଟ ବିଦ୍ୟାଳୟଗୁଡ଼ିକୁ ‘ମନି ସ୍ମାର୍ଟ ସ୍କୁଲ୍’ ଭାବେ ପ୍ରମାଣିତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି।ଏହି ପଦକ୍ଷେପକୁ ଉଚ୍ଚଶିକ୍ଷା ଓ ସ୍କୁଲ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି। ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ପିଏସଏସଏସର ମୁଖ୍ୟ ପରିଚାଳନା ଅଧିକାରୀ ରାଜ ଲକ୍ଷ୍ମୀ ଦାଶ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *