ନ୍ୟୁଜ ଡେକ୍ସ : ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ଭାବେ ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତି ହୋଇଛି। କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟୀ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି।ଅନ୍ୟପଟେ ପ୍ରଫେସର ସଞ୍ଜୟ କୁମାର ପାତ୍ରଙ୍କୁ ଧରଣୀଧର ବିଶ୍ୱବିଦ୍ୟାଳୟ, ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର ଅସୀମା ସାହୁଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରାଯାଇଛି। ପ୍ରଫେସର ପବନ କୁମାର ଅଗ୍ରୱାଲ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ଶିବରାମ ତ୍ରିପାଠୀ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନେବେ।ଏହା ସହ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଏମଏସସିବିଡି ବିଶ୍ୱବିଦ୍ୟାଳୟ, ପ୍ରଫେସର ବିଭୂତି ଭୂଷଣ ମଲିକ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ପ୍ରଫେସର ଜ୍ୟୋସ୍ନା କେବି ରାଉତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।
ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପ୍ରଫେସର ହୃଷିକେଶ ସେନାପତି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।ନୂତନ କୁଳପତିମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ପୂରଣ ହେବା ରାଜ୍ୟର ଉଚ୍ଚଶିକ୍ଷା ପ୍ରଣାଳୀ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ନୂତନ କୁଳପତିମାନଙ୍କ ଅନୁଭବ ଓ ଦକ୍ଷତା ଶିକ୍ଷାକ୍ଷେତ୍ରରେ ନୂଆ ଦିଗ ଦେଖାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

