ନ୍ୟୁଜ ଡେକ୍ସ : ଟାଟା ଗ୍ରୁପ୍ ମାଲିକାନାରେ ଚାଲୁଥିବା ଭାରତର ପ୍ରମୁଖ ବିମାନ ସେବା ସଂସ୍ଥା Air India ରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ଦେଖାଦେଇଛି। ସୂତ୍ରମାନଙ୍କ ଅନୁସାରେ, କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ Campbell Wilson ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ବିମାନ ମଣ୍ଡଳୀରେ ଚର୍ଚ୍ଚାର ସୃଷ୍ଟି ହୋଇଛି।
Tata Group ଦ୍ୱାରା ଏୟାର ଇଣ୍ଡିଆକୁ ପୁନଃ ଅଧିଗ୍ରହଣ କରାଯାଇବା ପରେ କମ୍ପାନୀରେ ବ୍ୟାପକ ପୁନର୍ଗଠନ ଏବଂ ଆଧୁନିକୀକରଣ ପ୍ରକ୍ରିୟା ଚାଲିଥିଲା। ଏହି ପରିପ୍ରେକ୍ଷିତରେ ୨୦୨୨ ମସିହା ଜୁଲାଇ ମାସରେ କ୍ୟାମ୍ପବେଲ୍ ୱିଲସନଙ୍କୁ ସିଇଓ ଓ ଏମ୍ଡି ଭାବେ ନିଯୁକ୍ତ କରାଯାଇଥିଲା। ସେ ଆସିବା ପରେ କମ୍ପାନୀର ବ୍ୟବସ୍ଥାପନା, ସେବା ମାନ ଓ ବିମାନ ଫ୍ଲିଟ୍ ବିକାଶରେ ଅନେକ ପଦକ୍ଷେପ ନିଆଯାଇଥିଲା।ଏହା ପୂର୍ବରୁ Ilker Ayciଙ୍କୁ ଏୟାର ଇଣ୍ଡିଆର ଶୀର୍ଷ ପଦବୀ ପାଇଁ ଚୟନ କରାଯାଇଥିଲା। କିନ୍ତୁ କିଛି ବିବାଦ ସୃଷ୍ଟି ହେବା ପରେ ସେ ୨୦୨୨ ମାର୍ଚ୍ଚ ମାସରେ ଏହି ପଦବୀ ଗ୍ରହଣ କରିବାକୁ ଅସ୍ୱୀକାର କରିଥିଲେ।
ପରେ ଏହି ଦାୟିତ୍ୱ ୱିଲସନଙ୍କୁ ଦିଆଯାଇଥିଲା। କ୍ୟାମ୍ପବେଲ୍ ୱିଲସନ ପୂର୍ବରୁ ଏଭିଏସନ୍ କ୍ଷେତ୍ରରେ ଦୀର୍ଘ ଅନୁଭବ ରଖିଥିବା ବେଳେ, ତାଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆ ନୂତନ ଦିଗକୁ ଗତି କରୁଥିଲା। କିନ୍ତୁ ହଠାତ୍ ତାଙ୍କ ଇସ୍ତଫା କମ୍ପାନୀର ଭବିଷ୍ୟତ ନୀତି ଓ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି।ତଥାପି, କମ୍ପାନୀ ପକ୍ଷରୁ ଏହି ବିଷୟରେ ଅଧିକୃତ ଘୋଷଣା ଆସିବା ବାକୀ ରହିଛି। ଆସନ୍ତା ଦିନରେ ନୂତନ ସିଇଓ କିଏ ହେବେ ଏବଂ କମ୍ପାନୀ କେଉଁ ଦିଗକୁ ଆଗେଇବ, ସେଥିପାଇଁ ସବୁଙ୍କର ନଜର ରହିଛି।

