ନ୍ୟୁଜ ଡେକ୍ସ : ତେଲେଙ୍ଗାନାର ହାଇଦ୍ରାବାଦରେ ଆୟୋଜିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ପ୍ରତିଯୋଗିତାରୁ ପ୍ରତ୍ୟାବର୍ତ୍ତନ ପରେ ଦୁଇ ଦଳର ଖେଳାଳିମାନେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସାକ୍ଷାତ କରିଥିଲେ।
ଏହି ଅବସରରେ ଡିଜିପି ଖୁରାନିଆ ସଫଳ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଅସାଧାରଣ ପ୍ରତିଭା ଓ କ୍ରୀଡ଼ା ଦକ୍ଷତା ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ସଫଳତା ଓଡ଼ିଶାର ଯୁବପିଢ଼ୀଙ୍କୁ ଫୁଟବଲ ପ୍ରତି ଆକୃଷ୍ଟ କରିବା ସହ ଆଗାମୀଦିନରେ ଅଧିକ ସଫଳତା ହାସଲ କରିବାକୁ ପ୍ରେରଣା ଦେବ।ଗତ ମାର୍ଚ୍ଚ ୨୩ ରୁ ଏପ୍ରିଲ ୦୫ ପର୍ଯ୍ୟନ୍ତ ଆୟୋଜିତ ଏହି ଚାମ୍ପିୟନସିପ୍ରେ ଓଡ଼ିଶା ପୋଲିସ ମହିଳା ଦଳ ଉପବିଜେତା ହୋଇଥିଲେ। ଫାଇନାଲ ମ୍ୟାଚରେ ଆସାମ ରାଇଫଲସ ଚମ୍ପିୟନ ହୋଇଥିବାବେଳେ ଓଡ଼ିଶା ପୋଲିସ ରନର୍ସଅପ ହୋଇଥିଲା। ଏହାସହ ପୁରୁଷ ଦଳ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ବ୍ୟକ୍ତିଗତ ସ୍ତରରେ ମଧ୍ୟ ଓଡ଼ିଶା ପୋଲିସ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।
ପ୍ୟାରୀ ଖାଖା ମହିଳା ବର୍ଗରେ ୦୭ଟି ଗୋଲ୍ କରି ‘ଗୋଲଡେନ୍ ବୁଟ୍’ ହାସଲ କରିଥିବାବେଳେ ବିଜୟ ବେହେରା ପୁରୁଷ ବର୍ଗରେ ୦୮ଟି ଗୋଲ୍ ସହ ଏହି ସମ୍ମାନ ଅର୍ଜନ କରିଥିଲେ। ପ୍ୟାରୀ ବର୍ତ୍ତମାନ ଭାରତୀୟ ଜାତୀୟ ଫୁଟବଲ ଶିବିରରେ ଅଂଶଗ୍ରହଣ କରୁଛନ୍ତି।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସଞ୍ଜୟ କୁମାର ସହିତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମଟିକୁ କ୍ରୀଡ଼ା ଅଧିକାରୀ ନୀଳମାଧବ ସ୍ୱାଇଁ ପରିଚାଳନା କରିଥିଲେ।

