ନ୍ୟୁଜ ଡେକ୍ସ : ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନୂଆ ରାଜନୈତିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ଗଠନ କରିଛନ୍ତି। ଆଜି ଭୁବନେଶ୍ୱରର ସତ୍ୟନଗରରେ ଦଳର କାର୍ଯ୍ୟାଳୟ ଉଦଘାଟନ କରି ସେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ମୋକିମ କହିଛନ୍ତି ଯେ ଆସନ୍ତା ୧୫ ତାରିଖରେ ଦଳର ମୂଳଦୁଆ ପଡ଼ିବ ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ।
ସେ ଓଜେସିକୁ ବିଜେପିର ବି-ଟିମ୍ ବୋଲି କୁହାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ।କଂଗ୍ରେସ ଉପରେ ଆକ୍ରମଣ କରି ମୋକିମ କହିଥିଲେ ଯେ ଦଳର ଅଭିଯୋଗ ମିଥ୍ୟା। ଗତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ଭୂମିକା ନେଇ ସେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ କଂଗ୍ରେସ ଅନ୍ୟ ଦଳକୁ ସମର୍ଥନ କରି ନିଜର କିଛି ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ହରାଇଛି।
ତାଙ୍କ ଝିଅ ଏବଂ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସଙ୍କ ଦଳରେ ଯୋଗଦେବା ସମ୍ପର୍କରେ ପଚାରାଯାଇଥିବା ପ୍ରଶ୍ନରେ ସେ କହିଥିଲେ ଯେ ବର୍ତ୍ତମାନ ସେ କଂଗ୍ରେସରେ ଅଛନ୍ତି ଏବଂ ସମୟ ଆସିଲେ ସଠିକ୍ ନିଷ୍ପତ୍ତି ନେବେ। ମୋକିମ ଆହୁରି କହିଛନ୍ତି ଯେ ଦଳ ୧୫ଟି ଜିଲ୍ଲାରେ କାର୍ଯ୍ୟକ୍ରମ କରିସାରିଛି ଏବଂ ସଦସ୍ୟତା ଅଭିଯାନ ଚାଲିଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଭାଗ ନେଇ ଓଡ଼ିଶାରେ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଉଭା ହେବ ବୋଲି ସେ ଦାବି କରିଛନ୍ତି।

