ନ୍ୟୁଜ ଡେକ୍ସ : ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୧ ତାରିଖରେ ସେ ରାଉରକେଲା ପହଞ୍ଚି ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବେ। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ ହେବାକୁ ଯାଉଛି।ମହାମହିମଙ୍କ ଆଗମନକୁ ନେଇ ରାଉରକେଲାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ସେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ବିମାନବନ୍ଦରକୁ ପହଞ୍ଚିବେ।
ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଯାତ୍ରା କରି ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବେ।ରାଷ୍ଟ୍ରପତିଙ୍କୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଆଦିବାସୀ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯିବ। ପରେ ସେ ସେକ୍ଟର-୧୩ ମେଲଣ ପଡ଼ିଆକୁ ଯାଇ ସାଧାରଣ ସଭାରେ ଯୋଗଦେବେ।ରାଷ୍ଟ୍ରପତିଙ୍କ ଦ୍ଵାରା ଲୋକାର୍ପିତ ହେବାକୁ ଥିବା ୪ଟି ପ୍ରକଳ୍ପ ମଧ୍ୟରେ ରହିଛି କୋଏଲ ନଗରରେ ୪୨.୪୪ କୋଟି ଟଙ୍କା ବ୍ୟୟରେ ମନୋରଞ୍ଜନ ପାର୍କ, ଛେଣ୍ଡ୍ରେ ୨୭ କୋଟି ବ୍ୟୟରେ ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମ, ୪୮ କୋଟି ଟଙ୍କାରେ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଏବଂ ୪୦ କୋଟି ବ୍ୟୟରେ ଆଦିବାସୀ ମ୍ୟୁଜିୟମ୍।
ଏହି ପ୍ରକଳ୍ପଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୂର୍ବରୁ ପରିଦର୍ଶନ କରିଥିଲେ ଏବଂ ପରେ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ।ରାଷ୍ଟ୍ରପତିଙ୍କ ଏହି ଗସ୍ତ ରାଉରକେଲା ଓ ଆସପାସ ଅଞ୍ଚଳର ଉନ୍ନତିକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

