ନ୍ୟୁଜ ଡେକ୍ସ : ବିହାରର ରାଜନୀତିରେ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମ୍ରାଟ ଚୌଧୁରୀ ଆଜି ସକାଳେ ପାଟନାର ଲୋକଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିହାର ଇତିହାସରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟିର ଜଣେ ନେତା ଏହି ପଦରେ ବସିଛନ୍ତି।
ଏହାପୂର୍ବରୁ ଜନତା ଦଳ ୟୁନାଇଟେଡ୍ ମୁଖ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମ୍ରାଟ ଚୌଧୁରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେ ବିହାରର ଉନ୍ନତ ଭବିଷ୍ୟତ ପାଇଁ ଆଶା ବ୍ୟକ୍ତ କରିଛନ୍ତି।ଶପଥ ଗ୍ରହଣ ଉତ୍ସବରେ ସମ୍ରାଟ ଚୌଧୁରୀଙ୍କ ସହିତ ମୋଟ ୩ ଜଣ ମନ୍ତ୍ରୀ ଶପଥ ନେଇଥିବାବେଳେ, ଅନ୍ୟମାନେ ପରବର୍ତ୍ତୀ ଦିନରେ ଶପଥ ନେବେ ବୋଲି ଜଣାପଡିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ ଓ ଏନଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।ସମ୍ରାଟ ଚୌଧୁରୀଙ୍କ ରାଜନୀତିକ ଯାତ୍ରା ମଧ୍ୟ ଅତ୍ୟନ୍ତ ରୋଚକ।
ସେ ଏକଦା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ନିକଟତମ ଥିଲେ। ପରେ ୨୦୧୭ରେ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଅଳ୍ପ ସମୟରେ ସେ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ହାସଲ କରି ୨୦୨୩ରେ ରାଜ୍ୟ ସଭାପତି ହୋଇଥିଲେ। ଏବେ ମାତ୍ର କିଛି ବର୍ଷ ମଧ୍ୟରେ ସେ ବିହାରର ମୁଖ୍ୟମନ୍ତ୍ରୀ ପଦକୁ ଅଧିକୃତ କରିଛନ୍ତି। ନୀତୀଶ କୁମାରଙ୍କ ଇସ୍ତଫା ପରେ ଏନ୍ଡିଏ ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ଏକମତରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ବିହାରର ରାଜନୀତିରେ ଏହି ପରିବର୍ତ୍ତନ ଆଗାମୀ ଦିନରେ କେମିତି ପ୍ରଭାବ ପକାଏ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

